କୁଜଙ୍ଗ, 11/11/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତାରିଖ – ୧୧/୧୧/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗସ୍ଥିତ ସରକାରୀ ବନବିହାରୀ ହାଇସ୍କୁଲର ୧୨୬ତମ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବର ଓ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଦୀର୍ଘ ୧୨୬ ବର୍ଷର ଶିକ୍ଷା, ସଂସ୍କାର ଓ ସଫଳତାର ଗୌରବମୟ ଇତିହାସକୁ ମନେ ପକାଇ ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବନବିହାରୀ କାପୁରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମନୋଜ କୁମାର ବେହେରା ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଆଲୁମିନି କମିଟିର ସଭାପତି ଶ୍ରୀ ଅକ୍ଷୟ କୁମାର ପଲାଇ, ଏସ୍ଏମ୍ସି ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁ, ଉପସଭାପତି ଶ୍ରୀମତୀ ଝୁନିରାଣୀ ଗୋଛାୟତ, ଆଲୁମିନି କମିଟି ସଦସ୍ୟ ଶ୍ରୀ ରବୀନ୍ଦ୍ର ନାୟକ ଓ ଶ୍ରୀ ବାଦଲ ମହାରଣାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସରୋଜ କୁମାର ବେହେରା, ଶ୍ରୀ ଧୀରେନ୍ଦ୍ର କୁମାର ପଲେଇ, ଶ୍ରୀ ସନ୍ତୋଷ କୁମାର ଦାସ, ଶ୍ରୀମତୀ ରୁଣୁବାଳା ମଲ୍ଲିକ, ଶ୍ରୀମତୀ ସସ୍ମିତା ନାୟକ, ଶ୍ରୀମତୀ ଗୀତାଞ୍ଜଳି ସେନାପତି, ଶ୍ରୀ ରାକେଶ ଦାସ, ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ, ଶ୍ରୀ ଉମାକାନ୍ତ ନାଥ, ଶ୍ରୀମତୀ ବିଷ୍ଣୁପ୍ରିୟା ନାୟକ, ଶ୍ରୀମତୀ ପ୍ରଭାତୀ ସ୍ୱାଇଁ, ଶ୍ରୀ ଲଲାଟେନ୍ଦୁ ପାତ୍ର ଓ ଶ୍ରୀ ଶୁଭ୍ରଜିତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବର୍ତ୍ତମାନ ଏହି ବିଦ୍ୟାଳୟରେ ୬୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରତିଷ୍ଠା ଦିବସ ଅବସରରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା କରାଯାଇଥିଲା।
ସଭାରେ ଉପସ୍ଥିତ ବକ୍ତାମାନେ ବିଦ୍ୟାଳୟର ଗୌରବମୟ ଅତୀତ ଓ ଶିକ୍ଷାଦାନର ଉତ୍କୃଷ୍ଟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ବିଦ୍ୟାଳୟରୁ ଶିକ୍ଷାଲାଭ କରି ଅନେକ ପୁରାତନ ଛାତ୍ରଛାତ୍ରୀ ଆଜି ସମାଜର ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ ନିଜ ଅଞ୍ଚଳ ଓ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ରାଜନୀତି କ୍ଷେତ୍ରରେ ମଧ୍ୟ ଅନେକ ପୁରାତନ ଛାତ୍ରଛାତ୍ରୀ ଉଚ୍ଚ ସ୍ଥାନ ଅଧିକାର କରିଥିବା ନେଇ ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏଥିସହ ୧୨୬ ବର୍ଷର ଦୀର୍ଘ ଶିକ୍ଷାଯାତ୍ରାରେ ବିଦ୍ୟାଳୟକୁ ନିଜର ନିଷ୍ଠା, ତ୍ୟାଗ ଓ ଜ୍ଞାନରେ ସମୃଦ୍ଧ କରିଥିବା ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଜି ଆମ ଗହଣରେ ନାହାନ୍ତି। ତଥାପି ସେମାନଙ୍କ ଶିକ୍ଷାଦାନ, ମାର୍ଗଦର୍ଶନ ଓ ଅମୂଲ୍ୟ ସ୍ମୃତି ଆଜି ମଧ୍ୟ ପୁରାତନ ଛାତ୍ରଛାତ୍ରୀଙ୍କ ହୃଦୟରେ ଅମର ହୋଇ ରହିଛି ବୋଲି ବକ୍ତାମାନେ ଭାବବିହ୍ୱଳ ହୋଇ କହିଥିଲେ।
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ବ୍ୟବହାରକୁ ନେଇ ମଧ୍ୟ ସଭାରେ ଚିନ୍ତା ପ୍ରକଟ କରାଯାଇଥିଲା।
ମୋବାଇଲ୍ର ଅତ୍ୟଧିକ ବ୍ୟବହାର ଯେପରି ପିଲାମାନଙ୍କ ପାଠପଢ଼ା ଓ ଏକାଗ୍ରତାକୁ ପ୍ରଭାବିତ ନକରେ, ସେଥିପ୍ରତି ଅଭିଭାବକମାନେ ସଚେତନ ରହିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ପିଲାମାନଙ୍କୁ ମୋବାଇଲ୍ଠାରୁ ଦୂରେଇ ରଖି ପାଠପଢ଼ା, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧ ପ୍ରତି ଆଗ୍ରହୀ କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଥିଲା।
ଶିକ୍ଷା କେବଳ ଡିଗ୍ରୀ ହାସଲର ମାଧ୍ୟମ ନୁହେଁ, ବରଂ ଜଣେ ଛାତ୍ରକୁ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିବାର ମୂଳ ଆଧାର।
ତେଣୁ ଶିକ୍ଷକଙ୍କ ମାର୍ଗଦର୍ଶନ ଓ ଅଭିଭାବକଙ୍କ ସଚେତନତାକୁ ପାଥେୟ କରି ଛାତ୍ରଛାତ୍ରୀମାନେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ପରିବାର, ବିଦ୍ୟାଳୟ ଓ ସମାଜର ଗୌରବ ବୃଦ୍ଧି କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା।
୧୨୬ ବର୍ଷର ଏହି ଗୌରବମୟ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଦିବସ ପୁରାତନ ସ୍ମୃତିକୁ ସତେଜ କରିବା ସହ ନୂତନ ପିଢ଼ିକୁ ଶିକ୍ଷା ଓ ସଂସ୍କାରର ମାର୍ଗରେ ଆଗେଇ ଯିବାର ପ୍ରେରଣା ଦେଇଥିଲା।