ତିର୍ତ୍ତୋଲ, 12/11/2026, ଉତ୍କଳ voice news - utkalvoicenews.com( ତୃପ୍ତି ରଂଜନ ମହାନ୍ତି ) :
୧୨/୧୧/୨୦୨୬ - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନାଉଲ ଗ୍ରାମରେ ଆସନ୍ତା ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଛଅଦିନ ବ୍ୟାପୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ। ଗ୍ରାମର ମହାଦେବ ମନ୍ଦିର ନିକଟରେ ଏହି ମହୋତ୍ସବ ଆୟୋଜନ କରାଯିବ। ଏନେଇ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଏହି ମହୋତ୍ସବକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦ୍ଘାଟନ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୪ ବେଶ ସହ ୫୬ ଭୋଗ ଅର୍ପଣର ବ୍ୟବସ୍ଥା ରହିଛି। ଏଥିସହ ପୁସ୍ତକ ମେଳା, ନାମ ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ପ୍ରବଚନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ।
ମହୋତ୍ସବକୁ ଅଧିକ ଭକ୍ତିମୟ ଓ ଆକର୍ଷଣୀୟ କରିବା ପାଇଁ ଗ୍ରାମର ପ୍ରତ୍ୟେକ ଘରେ କଳସ ସ୍ଥାପନ ସହ ଘର ଦୁଆର ଓ ଗ୍ରାମର ବିଭିନ୍ନ ସ୍ଥାନରେ ଝୋଟି ପକାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗ୍ରାମ ସଭାପତି ପର୍ଶୁରାମ ବିଶ୍ୱାଳ, ଧୀରେନ୍ଦ୍ର ପ୍ରସାଦ ଦାସ, ଦିବ୍ୟସୁନ୍ଦର ସାମଲ, ନିମାଇଁ ଚରଣ ମହାନ୍ତି, ସନ୍ତୋଷ କୁମାର ରାଉତ ଓ ନରେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।