ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କର୍ମଚାରୀ ଅଭାବରେ ଯାଜପୁର ଅବକାରୀ ବିଭାଗ , ନିଯୁକ୍ତି ଓ ଭିତ୍ତିଭୂମି ସୁଦୃଢ଼ୀକରଣ ଦାବି

ଯାଜପୁର, 12/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରାଙ୍କ ରିପୋର୍ଟ ) :
Article Image
ତାରିଖ – ୧୨/୧୧/୨୦୨୬ : ଅବୈଧ ମଦ କାରବାର ଓ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ସହ ଆଇନଶୃଙ୍ଖଳା ରକ୍ଷାରେ ଅବକାରୀ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଆବଶ୍ୟକ ଅନୁଯାୟୀ କର୍ମଚାରୀ ଓ ଭିତ୍ତିଭୂମିର ଅଭାବ ଯାଜପୁର ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟକୁ ଚ୍ୟାଲେଞ୍ଜପୂର୍ଣ୍ଣ କରିଛି। ଏଭଳି ସ୍ଥିତିରେ ବିଭାଗରେ ଖାଲି ପଦବୀ ପୂରଣ ସହ ଆବଶ୍ୟକ ସୁବିଧାସୁଯୋଗ ଯୋଗାଇଦେବାକୁ ଦାବି ଜୋର ଧରିଛି। ସୂଚନା ଅନୁଯାୟୀ, ଜିଲ୍ଲା ଅବକାରୀ ବିଭାଗରେ ୩୯ ଜଣ କନଷ୍ଟେବଳଙ୍କ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ମାତ୍ର ୧୨ ଜଣ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୫ ଜଣ ମହିଳା କନଷ୍ଟେବଳ ରହିଛନ୍ତି। ବିଭିନ୍ନ କାରଣରୁ ଛୁଟିରେ ରହିବା ପରିସ୍ଥିତିରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଆହୁରି କମି ୮ରୁ ୧୦ ଜଣରେ ସୀମିତ ରହୁଛି। ଫଳରେ ସୀମିତ କର୍ମଚାରୀଙ୍କ ଉପରେ ଅଧିକ କାର୍ଯ୍ୟଭାର ପଡ଼ୁଛି। ସେହିପରି ଜିଲ୍ଲାରେ ୫ଟି ଉପନିରୀକ୍ଷକ କାର୍ଯ୍ୟାଳୟ, ୨ଟି ନିରୀକ୍ଷକ କାର୍ଯ୍ୟାଳୟ ଓ ଗୋଟିଏ ମୋବାଇଲ୍ ୟୁନିଟ୍ ରହିଛି। କିନ୍ତୁ ଏଥିମଧ୍ୟରୁ କେବଳ ଡୋଲିପୁର ଓ ରସୁଲପୁର କାର୍ଯ୍ୟାଳୟର ନିଜସ୍ୱ ସରକାରୀ କୋଠା ଥିବାବେଳେ ଅନ୍ୟ କାର୍ଯ୍ୟାଳୟଗୁଡ଼ିକ ଭଡ଼ା ଘରେ ଚାଲୁଥିବା ଜଣାପଡ଼ିଛି। କର୍ମଚାରୀ ପଦବୀର ସ୍ଥିତି ମଧ୍ୟ ଚିନ୍ତାଜନକ। ଜିଲ୍ଲାରେ ୫ ଜଣ ଅବକାରୀ ନିରୀକ୍ଷକଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୨ ଜଣ କାର୍ଯ୍ୟରତ ଅଛନ୍ତି। ଉପନିରୀକ୍ଷକ ପଦବୀରେ ୮ ଜଣ ଥିବାବେଳେ ସହକାରୀ ଉପନିରୀକ୍ଷକଙ୍କ ସଂଖ୍ୟା ୧୧ରୁ ହ୍ରାସ ପାଇ ୬ରେ ପହଞ୍ଚିଛି। ଏ ସମ୍ପର୍କରେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ପଚାରିବାରୁ ସେ ପରୋକ୍ଷରେ କର୍ମଚାରୀ ଅଭାବ ଥିବା ସ୍ୱୀକାର କରିଥିଲେ। ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ଅବକାରୀ ବିଭାଗର ସଚିବଙ୍କୁ ଅବଗତ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଥିଲେ। ସୀମିତ କର୍ମଚାରୀ ସତ୍ତ୍ୱେ ଜିଲ୍ଲା ଅବକାରୀ ଅଧୀକ୍ଷକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହଯୋଗରେ ଅବୈଧ ମଦ କାରବାର ଓ ଚୋରାଚାଲାଣ ବିରୋଧରେ ଚଢ଼ାଉ ଓ ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ବିଭାଗର କାର୍ଯ୍ୟକୁ ଅଧିକ ଗତିଶୀଳ ଓ ପ୍ରଭାବଶାଳୀ କରିବା ପାଇଁ ଖାଲି ପଦବୀ ପୂରଣ, ନୂତନ କର୍ମଚାରୀ ନିଯୁକ୍ତି ଏବଂ ଆବଶ୍ୟକୀୟ ସରକାରୀ କାର୍ଯ୍ୟାଳୟ ଓ ଭିତ୍ତିଭୂମି ଯୋଗାଇଦେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଏ ଦିଗରେ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଜିଲ୍ଲାରେ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି ସହ ଅବୈଧ କାର୍ଯ୍ୟ ନିୟନ୍ତ୍ରଣରେ ଅଧିକ ସଫଳତା ମିଳିପାରିବ ବୋଲି ମତ ପ୍ରକାଶ ପାଇଛି।
14