ପାରାଦୀପ / ( ଅଠରବାଙ୍କି ), 12/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ପାରାଦୀପର ପ୍ରସିଦ୍ଧ ଅଠରବାଙ୍କି ବଣିକ ସଂଘ ପକ୍ଷରୁ ୪୦ତମ ବାର୍ଷିକ ମା’ କାଳୀ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସମଗ୍ର ଅଠରବାଙ୍କି ବଜାର ଆଲୋକମାଳାରେ ସୁସଜ୍ଜିତ ହୋଇ ଉତ୍ସବମୁଖର ହୋଇଉଠିଥିଲା।
ଏହି ପବିତ୍ର ଉତ୍ସବରେ ରାଜ୍ୟର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ କାଳୀଙ୍କ ଦର୍ଶନ କରିବା ସହ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ବଣିକ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମା’ କାଳୀଙ୍କ ନିକଟରେ ସମଗ୍ର ବିଶ୍ୱର ମଙ୍ଗଳ କାମନା କରିବା ସହ ଅଠରବାଙ୍କି ବଜାରର ଉତ୍ତରୋତ୍ତର ଉନ୍ନତି ଓ ସମସ୍ତଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ, ଏକତା ଓ ଭାଇଚାରା ବଜାୟ ରହିବା ପାଇଁ ପ୍ରାର୍ଥନା କରିଥିଲେ। ଏଥିସହ ସମାଜରୁ ଅଧର୍ମ ଓ ଅନ୍ୟାୟର ବିନାଶ ଘଟି ନ୍ୟାୟର ସର୍ବଦା ବିଜୟ ହେଉ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଧାର୍ମିକ ଓ ସାମାଜିକ ଉତ୍ସବରେ ବଣିକ ସଂଘର ସମସ୍ତ କର୍ମକର୍ତ୍ତା, ସ୍ଥାନୀୟ ବ୍ୟବସାୟୀ ଓ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିଥିଲେ।