ଏରସମା, 13/11/2026, ଉତ୍କଳ voice news - utkalvoicenews.com( ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ ) :
ତାରିଖ – ୧୩/୧୧/୨୦୨୬ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଲ୍ଲୀକଣ୍ଟା ପଞ୍ଚାୟତ ଅନ୍ତର୍ଗତ ଭାରିଶୋଳ ଗ୍ରାମରେ ବିଶିଷ୍ଟ ଶିକ୍ଷକ ନେତା ସ୍ୱର୍ଗତ ଅନିରୁଦ୍ଧ ଖଣ୍ଡୁଆଳଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ଓ ହରିନାମ ସତସଙ୍ଗ ଆୟୋଜିତ ହୋଇଯାଇଛି।

ପ୍ରାରମ୍ଭରେ ପୂଜ୍ୟ ପୂଜା ସଂସଦ, ଏରସମା ଓ ସ୍ୱର୍ଗତ ଖଣ୍ଡୁଆଳଙ୍କ ପରିବାରବର୍ଗଙ୍କ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପୂଜକ ଧୀରେନ୍ଦ୍ର କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ହରିନାମ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ଏଥିରେ ରାମକୃଷ୍ଣଙ୍କ ଦିବ୍ୟ ଜୀବନୀ ଓ ବାଣୀର ପ୍ରାସଙ୍ଗିକତା ସହ ସମାଜରେ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠାରେ ସତସଙ୍ଗର ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା।
ପରେ ପୂଜ୍ୟ ପୂଜା ସଂସଦର ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ୱରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ଖଣ୍ଡୁଆଳଙ୍କ ସୁପୁତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଧ୍ୱଜରାଜ ଖଣ୍ଡୁଆଳ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୁବନେତା ଅଭିଜିତ ସାହୁ, କବି ଡ. ବସନ୍ତମଞ୍ଜରୀ ଦାସ, ଶିଳ୍ପପତି ମହେଶ୍ୱର ସ୍ୱାଇଁ, କବି ଅରୂପାନନ୍ଦ ସ୍ୱାଇଁ, ପ୍ରାକ୍ତନ ଶିକ୍ଷକ ବୈଷ୍ଣବ ସ୍ୱାଇଁ, ବିଜେପି ଯୁବନେତା ତପନ ଗଛାୟତ, ନିରାକାର ସ୍ୱାଇଁ, ବୈଦ୍ୟନାଥ ସାହୁ ଓ ଯଯାତି କେଶରୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଖଣ୍ଡୁଆଳଙ୍କ ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ।
ଏହି ଅବସରରେ ଉପସ୍ଥିତ ଅତିଥି ଓ ଶୁଭେଚ୍ଛୁମାନେ ସ୍ୱର୍ଗତ ଖଣ୍ଡୁଆଳଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।