ଢେଙ୍କାନାଳ, 13/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ସାଇ ବାବାଙ୍କ ଭକ୍ତି, ଶ୍ରଦ୍ଧା ଓ ସେବାର ବାର୍ତ୍ତା ନେଇ ସାଇ ସତସଙ୍ଗ ସେବା ଟ୍ରଷ୍ଟ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ବାର୍ଷିକ ଉତ୍ସବ ଶୁକ୍ରବାର ମହାଆଡ଼ମ୍ବରରେ ଉଦ୍ଘାଟିତ ହୋଇଛି। ପ୍ରଥମ ଦିନରେ ଆୟୋଜିତ ବିଶାଳ ସାଇ ପାଲିଙ୍କି ଶୋଭାଯାତ୍ରାରେ ଭକ୍ତିମୟ ହୋଇଉଠିଥିଲା ସମଗ୍ର ଢେଙ୍କାନାଳ ସହର।
ସୌଦାମିନୀ ସ୍କୁଲ ପରିସରରେ ଶିରିଡ଼ିରୁ ଆସିଥିବା ପୂଜକଙ୍କ ଦ୍ୱାରା ସାଇ ବାବାଙ୍କ ପୂଜାର୍ଚ୍ଚନା ଓ ଆରତୀ ପରେ ଶୋଭାଯାତ୍ରା ଶ୍ରୀରାମ ମଣ୍ଡପ ଅଭିମୁଖେ ବାହାରି ସହର ପରିକ୍ରମା କରିଥିଲା। ପୁରୀର ଘଣ୍ଟୁଆ ଦଳ, କଟକର ସିଂହ ବାଜା ଓ ଲଉଡ଼ି ଖେଳ ଶୋଭାଯାତ୍ରାର ଆକର୍ଷଣ ବଢ଼ାଇଥିଲା। ସୁସଜ୍ଜିତ ବିମାନରେ ବିରାଜମାନ ସାଇ ବାବାଙ୍କ ମୂର୍ତ୍ତି, ବିମାନ ଓ ପାଦୁକା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଥିଲା।
ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇ ସାଇ ବାବାଙ୍କ ଜୟଧ୍ୱନିରେ ସହରକୁ ପ୍ରକମ୍ପିତ କରିଥିଲେ। ଶ୍ରୀରାମ ମଣ୍ଡପରେ ଶୋଭାଯାତ୍ରା ପହଞ୍ଚିବା ପରେ ଭବ୍ୟ ଭଜନ ସମାରୋହ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।
ଉତ୍ସବର ଦ୍ୱିତୀୟ ଦିନରେ ସାଇ ସତ୍ୟନାରାୟଣ ବ୍ରତ ପୂଜା ଏବଂ ତୃତୀୟ ଦିନରେ ଏକଦିବସୀୟ ସାଇ ସତଚରିତ ପାରାୟଣ ଅନୁଷ୍ଠିତ ହେବ। ଏଥିରେ ଅଧିକରୁ ଅଧିକ ଭକ୍ତ ଯୋଗଦେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।