ଜଗତସିଂହପୁର, 15/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ ) :

ତାରିଖ – ୧୪/୧୧/୨୦୨୬ : ଶିଶୁ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ ନାଗରିକ। ସେମାନଙ୍କ ମୁହଁରେ ହସ ଫୁଟାଇବା ସହ ଲୁକ୍କାୟିତ ପ୍ରତିଭାର ବିକାଶ ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳିତ ହୁଏ ଶିଶୁ ଦିବସ। ଏହି ଅବସରରେ ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟରେ ଏକ ନିଆରା ଢଙ୍ଗରେ ଶିଶୁ ଦିବସ ପାଳିତ ହୋଇଛି। ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ। ପିଠାପଣା, ମିଠା, ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ଭଳି ବିଭିନ୍ନ ମନୋରଞ୍ଜନ ଓ ସୃଜନଶୀଳ କାର୍ଯ୍ୟକ୍ରମରେ ବେଶ୍ ଆନନ୍ଦର ସହ ସାମିଲ ହୋଇଥିଲେ କୁନି କୁନି ପିଲା। ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁଙ୍କ ମନରେ ଖୁସି ଭରିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ପାଠପଢ଼ା ସହ ସୃଜନଶୀଳ କାର୍ଯ୍ୟକଳାପରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବା। ପଦରାଜ ଉମାକାନ୍ତ ନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ କହିଥିଲେ ଯେ, ଶିଶୁ ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରତ୍ୟେକ ଶିଶୁଙ୍କୁ ଉତ୍ତମ ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମାନ ଅଧିକାର ପ୍ରଦାନ କରିବାର ଏକ ସଂକଳ୍ପ। ଶିଶୁଙ୍କ ଖୁସି ଓ ପ୍ରତିଭାର ବିକାଶ ପାଇଁ ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ବିଦ୍ୟାଳୟର ଏହି ନିଆରା ଆୟୋଜନରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିବାବେଳେ ପ୍ରଧାନଶିକ୍ଷକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଶିଶୁଙ୍କ ମୁହଁରେ ହସ, ମନରେ ଆତ୍ମବିଶ୍ୱାସ ଓ ପ୍ରତିଭାକୁ ଉପଯୁକ୍ତ ପ୍ରୋତ୍ସାହନ ଦେବା ହିଁ ଶିଶୁ ଦିବସର ପ୍ରକୃତ ସାର୍ଥକତା। ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟର ଏହି ନିଆରା ପ୍ରୟାସ ଶିକ୍ଷା ସହ ଆନନ୍ଦ ଓ ସୃଜନଶୀଳତାର ଏକ ସୁନ୍ଦର ବାର୍ତ୍ତା ଦେଇଛି।

