କୁଜଙ୍ଗ , 15/11/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ତାରିଖ – ୧୪/୧୧/୨୦୨୬ : କୁଜଙ୍ଗର ବିକାଶ ଓ ନୂତନ ପରିଚୟ ପାଇଁ ଉଠିଛି ସାମୂହିକ ଜନସ୍ୱର। କୁଜଙ୍ଗକୁ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି) ମାନ୍ୟତା ପ୍ରଦାନ ନିମନ୍ତେ ପୂର୍ବ ସରକାରଙ୍କ ଘୋଷଣାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ଦାବିରେ ଆସନ୍ତା ୧୭ ତାରିଖ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୁଜଙ୍ଗ ବନ୍ଦ ଡାକରା ଦେଇଛି କୁଜଙ୍ଗ ସଚେତନ ନାଗରିକ ମଞ୍ଚ।
ଏହି ବନ୍ଦ ପାଳନକୁ କୁଜଙ୍ଗର ବିଭିନ୍ନ ବ୍ୟବସାୟୀ ସଂଘ, ଗାଡ଼ି ମାଲିକ ସଂଘ, ଓକିଲ, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଦଳମତ ନିର୍ବିଶେଷରେ ସମର୍ଥନ ଜଣାଇବେ ବୋଲି ମଞ୍ଚ ପକ୍ଷରୁ ସୂଚନା ମିଳିଛି।
ଏନେଇ ମଞ୍ଚର ଉପଦେଷ୍ଟା ବାବୁରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନ୍ୟତମ ଉପଦେଷ୍ଟା ପୀତାମ୍ବର ତରାଇ କହିଥିଲେ ଯେ, ଏନ୍ଏସି ଘୋଷଣାକୁ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା ଆବଶ୍ୟକ। ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ। କୁଜଙ୍ଗ ବନ୍ଦ ପରେ ଜେଲ୍ ଭରୋ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।
ବୈଠକରେ ମଞ୍ଚର ଆବାହକ ଡକ୍ଟର ରଘୁନାଥ ସାହୁ, କୁଜଙ୍ଗ ଓକିଲ ସଂଘର ସମ୍ପାଦକ ରଞ୍ଜିତ ବିଶ୍ୱାଳ, ସହସମ୍ପାଦିକା ପ୍ରିୟମ୍ବଦା ପାଣି, ରବୀନ୍ଦ୍ର ନାଥ, ଦୁଷ୍ମନ୍ତ ମାଝୀ, ହୃଷୀକେଶ ନାଥ, ଶରତ ଜେନା, ବିବେକାନନ୍ଦ ଦାସ, ବୃନ୍ଦାବନ ବାରିକ, ବିଜୟ ଖଟେଇ, ରାମଦାସ ମହାନ୍ତି, ରଶ୍ମିରଞ୍ଜନ ଦାସ ଓ ସୁଶାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ। କୁଜଙ୍ଗର ସାମଗ୍ରିକ ବିକାଶ ଓ ଏନ୍ଏସି ମାନ୍ୟତା ଦାବିକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଓ ଏକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯାଇଥିଲା। ଏଥିସହ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ ଓ କାଗଜପତ୍ର ପ୍ରସ୍ତୁତି ଶେଷ କରାଯାଇ ସରକାରଙ୍କ ନିକଟକୁ ସୁପାରିଶ ପଠାଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି।
ତେବେ ପୂର୍ବ ଘୋଷଣା ସତ୍ତ୍ୱେ ଏଯାବତ୍ ଏନ୍ଏସି ମାନ୍ୟତା କାର୍ଯ୍ୟକାରୀ ନହେବାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। କୁଜଙ୍ଗର ବିକାଶକୁ ଆଗକୁ ନେବା ଓ ଏନ୍ଏସି ଦାବିକୁ ବାସ୍ତବ ରୂପ ଦେବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସମସ୍ତ ବର୍ଗର ଜନସାଧାରଣଙ୍କୁ ବନ୍ଦ ପାଳନରେ ସହଯୋଗ କରିବାକୁ ନିବେଦନ କରାଯାଇଛି।