ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୮୭୨ ହିତାଧିକାରୀଙ୍କୁ ଭତ୍ତା, ତିନି ନୂଆ ପ୍ରକଳ୍ପର ଉପହାର

କୁଜଙ୍ଗ, 15/11/2026, ଉତ୍କଳ voice news - utkalvoicenews.com( ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ – ୧୪/୧୧/୨୦୨୬ : କାହା ଆଖିରେ ଖୁସି, କାହା ମନରେ ଆଶ୍ୱାସନ। ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ କୁଜଙ୍ଗରେ ଆରମ୍ଭ ହୋଇଛି ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ। ଏହି ଯୋଜନାରେ କୁଜଙ୍ଗ ବ୍ଲକର ୧,୮୭୨ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଫଳରେ ବହୁ ବୟୋଜ୍ୟେଷ୍ଠ, ବିଧବା, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କ ମୁହଁରେ ହସ ଫୁଟିବା ସହ ସେମାନଙ୍କୁ ଆର୍ଥିକ ସହାୟତାର ଆଶ୍ୱାସନ ମିଳିଛି। ସୂଚନା ଅନୁଯାୟୀ, ନୂତନ ଭାବେ ଯୋଜନାରେ ସାମିଲ ହୋଇଥିବା ୫,୦୫,୮୧୭ ଜଣ ହିତାଧିକାରୀଙ୍କୁ ନଭେମ୍ବର ମାସରେ ଅକ୍ଟୋବର ଓ ନଭେମ୍ବର ଦୁଇ ମାସର ଭତ୍ତା ଏକକାଳୀନ ପ୍ରଦାନ କରାଯିବ। ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ସାମାଜିକ ସୁରକ୍ଷା ଭତ୍ତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ପାରାଦ୍ୱୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗ ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କ ସୁବିଧା ଓ ସ୍ଥାନୀୟ ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ନବନିର୍ମିତ ମୁକ୍ତ ବ୍ୟାୟାମ କେନ୍ଦ୍ର, ଭେଣ୍ଡିଂ ଜୋନ୍ ଏବଂ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରାଯାଇଛି। ମୁକ୍ତ ବ୍ୟାୟାମ କେନ୍ଦ୍ର ଦ୍ୱାରା ସ୍ଥାନୀୟ ଲୋକେ ନିୟମିତ ବ୍ୟାୟାମ କରି ସୁସ୍ଥ ଓ ଫିଟ୍ ରହିବାର ସୁଯୋଗ ପାଇବେ। ସେହିପରି ଭେଣ୍ଡିଂ ଜୋନ୍ ଦ୍ୱାରା ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସୁବ୍ୟବସ୍ଥିତ ବ୍ୟବସାୟିକ ପରିବେଶ ମିଳିବ। ଏଥିସହ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ସାଧାରଣ ଜନତା ଓ ପଥଚାରୀମାନେ ବିଶୁଦ୍ଧ ଥଣ୍ଡା ପାଣି ପାଇବାର ସୁବିଧା ଲାଭ କରିବେ। ଏହି ଦୁଇଟି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ, ଜୀବନଧାରଣର ମାନ ବୃଦ୍ଧି ଏବଂ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ। ଜନକଲ୍ୟାଣମୂଳକ ଯୋଜନା ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ଲୋକଙ୍କ ଜୀବନକୁ ଅଧିକ ସୁବିଧାଜନକ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ପ୍ରକାଶ କରାଯାଇଛି। କାର୍ଯ୍ୟକ୍ରମରେ କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ, ବିଡିଓ ଦୀପକ ପ୍ରସାଦ ସ୍ୱାଇଁ, ତହସିଲଦାର ସ୍ୱରୂପ ନନ୍ଦନ ବେହେରା, ଅତିରିକ୍ତ ବିଡିଓ ପ୍ରଶାନ୍ତ କୁମାର ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମହାନ୍ତି, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ, ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ, ଫତେପୁର ସରପଞ୍ଚ ସିଦ୍ଧାର୍ଥ ପ୍ରଧାନ, ଅଗପାଳ ସରପଞ୍ଚ ବିପିନ ବିଶ୍ୱାଳ, ଧ୍ରୁବଚରଣ ନାୟକ ଏବଂ କୁଜଙ୍ଗ ଓକିଲ ସଂଘର ସଭାପତି ସଞ୍ଜୟ କୁମାର ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ। ସାମାଜିକ ସୁରକ୍ଷାର ଆଶ୍ୱାସନ ସାଙ୍ଗକୁ ବିକାଶର ନୂଆ ପଦକ୍ଷେପ କୁଜଙ୍ଗବାସୀଙ୍କ ମଧ୍ୟରେ ନୂତନ ଆଶା ଓ ଉତ୍ସାହ ସୃଷ୍ଟି କରିଛି।
8