ପାରାଦୀପ, 17/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ତାରିଖ : ୧୭ ନଭେମ୍ବର ୨୦୨୬ : ସାମୁଦ୍ରିକ ସୁରକ୍ଷା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟରେ ନିଜର ଦକ୍ଷତା ଓ ପ୍ରତିବଦ୍ଧତାର ପରିଚୟ ଦେଇଛି ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)। ପାରାଦୀପ ବନ୍ଦରଠାରୁ ପ୍ରାୟ ୫୦ ନଟିକାଲ୍ ମାଇଲ୍ ଦୂରରେ ସମୁଦ୍ର ମଧ୍ୟରେ ବିପଦରେ ପଡ଼ିଥିବା ‘ଏମଭି ବିଶ୍ୱ ଉଦୟ’ (MV Vishva Uday) ଜାହାଜକୁ ସଫଳତାର ସହ ଉଦ୍ଧାର କରିଛି ବନ୍ଦରର ସାମୁଦ୍ରିକ ବିଭାଗ। ଏହି ଅଭିଯାନ ଫଳରେ ଜାହାଜରେ ଥିବା ୨୭ ଜଣ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ ହୋଇଛି।
ସୂଚନା ଅନୁଯାୟୀ, ଭାରତୀୟ ନୌବାହନ ନିଗମ (Shipping Corporation of India–SCI) ପକ୍ଷରୁ ଏକ ଜରୁରୀକାଳୀନ ସୂଚନା ମିଳିବା ପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ୧୯°୪୭' ଉତ୍ତର ଅକ୍ଷାଂଶ ଓ ୦୮୭°୨୨' ପୂର୍ବ ଦ୍ରାଘିମାରେ ଅବସ୍ଥିତ ଏହି ଜାହାଜର ପ୍ରୋପେଲର୍ ଶାଫ୍ଟ ଅଚଳ ହୋଇଯିବା ସହ ଜାହାଜ ମଧ୍ୟକୁ ପାଣି ପ୍ରବେଶ କରୁଥିଲା। ଫଳରେ ଜାହାଜଟି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲା।

ଏହି ଜରୁରୀ ସୂଚନା ପାଇବା ପରେ ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ (DGMA)ଙ୍କ ଅନୁମୋଦନକ୍ରମେ ୧୬ ନଭେମ୍ବର ଅପରାହ୍ନ ୧୨ଟା ୩୦ ମିନିଟ୍ରେ ପାରାଦୀପ ବନ୍ଦରର ଦୁଇଟି ଶକ୍ତିଶାଳୀ ଟଗ୍ ବୋଟ୍ ‘ଡଲଫିନ୍-୨୫’ ଓ ‘ଡଲଫିନ୍-୨୦’ ଉଦ୍ଧାର ଅଭିଯାନ ପାଇଁ ସମୁଦ୍ରକୁ ଯାତ୍ରା କରିଥିଲେ।
ହାର୍ବର ମାଷ୍ଟର କ୍ୟାପ୍ଟେନ୍ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ନେତୃତ୍ୱରେ ଏହି ଅଭିଯାନ ପରିଚାଳିତ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ‘ଡଲଫିନ୍-୨୫’ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ‘ଡଲଫିନ୍-୨୦’ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଇଥିଲା। ଦୁଇ ଟଗ୍ ବୋଟ୍ର ସମନ୍ୱିତ ପ୍ରୟାସ, ବୈଷୟିକ ଦକ୍ଷତା ଓ ସତର୍କତାପୂର୍ଣ୍ଣ ପଦକ୍ଷେପ ଯୋଗୁଁ ବିପଦଗ୍ରସ୍ତ ଜାହାଜଟିକୁ ସୁରକ୍ଷିତ ଭାବେ ଟାଣି ଅଣାଯାଇ ୧୭ ନଭେମ୍ବର ସକାଳେ ବନ୍ଦରର ବାହ୍ୟ ସୀମା ନିକଟରେ ଲଙ୍ଗର ପକାଯାଇଥିଲା।

ଏହି ସଫଳ ଉଦ୍ଧାର ଅଭିଯାନ ପାଇଁ ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ (IRSEE) ସାମୁଦ୍ରିକ ବିଭାଗ ଓ ଉଦ୍ଧାରକାରୀ ଦଳର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି। ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ, ବୃତ୍ତିଗତ ଦକ୍ଷତା ଓ ସମନ୍ୱିତ କାର୍ଯ୍ୟଧାରା ହିଁ ଏହି ସଫଳତାର ମୁଖ୍ୟ ଆଧାର ବୋଲି ସେ ଉଲ୍ଲେଖ କରିଛନ୍ତି।
ସମୁଦ୍ର ମଧ୍ୟରେ ବିପଦରେ ପଡ଼ିଥିବା ଜାହାଜ ଓ ଏହାର ୨୭ ଜଣ ନାବିକଙ୍କ ସୁରକ୍ଷା ପାଇଁ ପାରାଦୀପ ବନ୍ଦରର ସାମୁଦ୍ରିକ ଦଳର ଏହି ତ୍ୱରିତ ହସ୍ତକ୍ଷେପ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଏହି ସଫଳତା ପାରାଦୀପ ବନ୍ଦରର ସାମୁଦ୍ରିକ ପ୍ରସ୍ତୁତି, ବୈଷୟିକ କ୍ଷମତା ଓ ଜରୁରୀକାଳୀନ ପରିଚାଳନା ଦକ୍ଷତାକୁ ପୁଣିଥରେ ପ୍ରମାଣିତ କରିବା ସହ ଭାରତର ପୂର୍ବ ଉପକୂଳରେ ଏକ ନିର୍ଭରଯୋଗ୍ୟ ସାମୁଦ୍ରିକ ପ୍ରବେଶଦ୍ୱାର ଭାବେ ପାରାଦୀପ ବନ୍ଦରର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଛି।