ଢେଙ୍କାନାଳ, 17/11/2026, ଉତ୍କଳ voice news - utkalvoicenews.com

( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) : ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ କାମ ଯୋଗାଇଦେବା ସହ ଚାଷୀଙ୍କ କୃଷିକ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ହେଲେ ଏହିସବୁ କାର୍ଯ୍ୟରେ ନିୟମର ଉଲ୍ଲଂଘନ ହେଉଥିବା ନେଇ ଏବେ ଅଭିଯୋଗ ଉଠିଛି। ଶ୍ରମିକଙ୍କ ବଦଳରେ ମେସିନ୍ ବ୍ୟବହାର କରାଯାଉଥିବା ଅଭିଯୋଗ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏଭଳି ଏକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତର ଗୁରୁଜାଙ୍ଗୁଲି ଗ୍ରାମରୁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜାମ୍ବୁନାଳୀଠାରୁ ଗଉଡ଼ପଶି ପର୍ଯ୍ୟନ୍ତ ମାଟି କେନାଲ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ବଦଳରେ ରାତି ସମୟରେ ମେସିନ୍ ଲଗାଇ ମାଟି ଖନନ କରାଯାଉଛି। ଏହି କାର୍ଯ୍ୟଟି ଭିବି-ଜି ରାମ ଜି ଯୋଜନା ଅଧୀନରେ ହେଉଥିବା ଜଣାପଡ଼ିଛି। ଉକ୍ତ କାର୍ଯ୍ୟର କୋଡ୍ ନମ୍ବର 2407005007/IC/VB/10664897 ଥିବାବେଳେ ଏହାର ଆନୁମାନିକ ବ୍ୟୟ ଅଟକଳ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି। ଶ୍ରମିକମାନଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯିବା ପରିବର୍ତ୍ତେ ମେସିନ୍ ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହାଦ୍ୱାରା ସ୍ଥାନୀୟ ଜବ୍ କାର୍ଡଧାରୀ ଶ୍ରମିକମାନେ କାମ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ, ନିର୍ମାଣାଧୀନ ମାଟି କେନାଲ ଦ୍ୱାରା ପ୍ରକୃତରେ ଚାଷୀମାନେ କେତେଦୂର ଉପକୃତ ହେବେ, ତାହାକୁ ନେଇ ମଧ୍ୟ କେତେକ ଚାଷୀ ସନ୍ଦେହ ପ୍ରକାଶ କରିଛନ୍ତି। କେନାଲର ଉପଯୋଗିତା, ନିର୍ମାଣର ମାନ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ଉପଯୁକ୍ତ ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି।

ସରକାରୀ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ରୋଜଗାର ଯୋଗାଇବା ସହ ଗ୍ରାମର ଭିତ୍ତିଭୂମି ଓ କୃଷିର ବିକାଶ କରିବା। ତେଣୁ ଏହି କାର୍ଯ୍ୟରେ ଯଦି ନିୟମ ବାହାରେ ମେସିନ୍ ବ୍ୟବହାର ହୋଇଥାଏ, ତେବେ ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟର ବାସ୍ତବ ସ୍ଥିତି ଯାଞ୍ଚ କରିବା ସହ ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଶ୍ରମିକମାନଙ୍କ ହକ୍ ସୁରକ୍ଷିତ ରଖିବା ଏବଂ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟଟିକୁ ସ୍ୱଚ୍ଛତାର ସହ ସମ୍ପନ୍ନ କରିବାକୁ ଦାବି ଜୋର ଧରିଛି।