ଢେଙ୍କାନାଳ, 18/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ଗୋମାତାଙ୍କ ଆରାଧନା ଓ ପୂଜାର୍ଚ୍ଚନାରେ ଭକ୍ତିମୟ ହୋଇଉଠିଲା ଢେଙ୍କାନାଳର ଲକ୍ଷ୍ମୀ ବଜାର। ପବିତ୍ର ଗୋପାଷ୍ଟମୀ ଅବସରରେ ଏଠାରେ ଶ୍ରଦ୍ଧା, ନିଷ୍ଠା ଓ ଭକ୍ତିଭାବର ସହ ଗୋମାତାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନ ମାଧ୍ୟମରେ ଗୋମାତାଙ୍କ ପ୍ରତି ଭକ୍ତି ଓ ସେବାଭାବର ଏକ ସୁନ୍ଦର ପରମ୍ପରା ପ୍ରତିଫଳିତ ହୋଇଥିଲା।
ଏହି ଅବସରରେ ଉଷା ଅଗ୍ରୱାଲ ଗୋମାତାଙ୍କୁ ଚନ୍ଦନ, ସିନ୍ଦୂର, ବସ୍ତ୍ର ଓ ପୁଷ୍ପ ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏଥିସହ ଗୋମାତାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଉଷା ଅଗ୍ରୱାଲ କହିଥିଲେ ଯେ, ଗୋପାଷ୍ଟମୀ ହେଉଛି ଗୋମାତାଙ୍କ ସେବା, ଯତ୍ନ ଓ ପୂଜାର୍ଚ୍ଚନା ପାଇଁ ଏକ ପବିତ୍ର ଦିନ। ଗୋମାତାଙ୍କ ସେବା କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ବୋଲି ଧାର୍ମିକ ବିଶ୍ୱାସ ରହିଛି। ତେଣୁ ଗୋମାତାଙ୍କ ସେବା ଓ ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବା ସହ ଆଗେଇ ଆସିବା ଆବଶ୍ୟକ।
ଗୋମାତାଙ୍କ ପୂଜାର୍ଚ୍ଚନା ଓ ସେବା ମାଧ୍ୟମରେ ଧାର୍ମିକ ଭାବନା ସହ ଜୀବଜନ୍ତୁଙ୍କ ପ୍ରତି ଦୟା, କରୁଣା ଓ ସ୍ନେହର ବାର୍ତ୍ତା ପ୍ରସାର କରିଥିଲା ଏହି ଗୋପାଷ୍ଟମୀ ପାଳନ। ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।