ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋମାତାଙ୍କ ପୂଜାର୍ଚ୍ଚନାରେ ମୁଖରିତ ନିତାଇଗୌର ଆଶ୍ରମ।

ଢେଙ୍କାନାଳ, 18/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ତାରିଖ: ୧୭/୧୧: ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାଦଦେଶରେ ଅବସ୍ଥିତ ଶାନ୍ତିପୁର ନିତାଇଗୌର ଆଶ୍ରମ ପରିସରରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଉତ୍ସାହର ସହିତ ଅନ୍ନକୂଟ ମହୋତ୍ସବ, ଗିରିରାଜ ପୂଜା ଓ ଗୋଷ୍ଠାଷ୍ଟମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଗବାନଙ୍କ ନିକଟରେ ଛପନ ଭୋଗ ଅର୍ପଣ କରାଯିବା ସହ ଗୋମାତାଙ୍କର ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା। ଦୀର୍ଘ ଦଶ ବର୍ଷ ଧରି ଆଞ୍ଚଳିକ ଗ୍ରାମବାସୀ ଓ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ସହଯୋଗରେ ଏହି ମହୋତ୍ସବ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଏହା ଆୟୋଜିତ ହୋଇଥିଲା। ଆଶ୍ରମ ପରିସରରେ ଗୋମାତାଙ୍କୁ ଚନ୍ଦନ, ସିନ୍ଦୂର ଓ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ଓ ଧୂପ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ଗୋମାତାଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଅର୍ପଣ କରାଯାଇଥିଲା। ପୌରାଣିକ ମାନ୍ୟତା ଅନୁଯାୟୀ, ଗୋଷ୍ଠାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣ ପ୍ରଥମଥର ପାଇଁ ଗୋବତ୍ସମାନଙ୍କୁ ସାଙ୍ଗରେ ନେଇ ଗୋଚାରଣ ପାଇଁ ବନକୁ ଯାଇଥିଲେ। ସେହିପରି ଗୋବର୍ଦ୍ଧନ ପର୍ବତ ଧାରଣ କରି ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ କୋପରୁ ବ୍ରଜବାସୀଙ୍କୁ ରକ୍ଷା କରିଥିବାର ସ୍ମୃତିରେ ଅନ୍ନକୂଟ ମହୋତ୍ସବ ପାଳନ କରାଯାଏ। ଭଗବାନଙ୍କ ପ୍ରତି କୃତଜ୍ଞତା ଓ ଭକ୍ତି ନିବେଦନ ସ୍ୱରୂପ ଭକ୍ତମାନେ ନିଜ ହାତରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପ୍ରଭୁଙ୍କୁ ଭୋଗ ଲଗାଇଥାନ୍ତି। ଏହି ପରମ୍ପରାକୁ ଆଧାର କରି ଆଶ୍ରମରେ ଛପନ ଭୋଗ ଅର୍ପଣ କରାଯାଇଥିଲା। ଏହି ଆଧ୍ୟାତ୍ମିକ ସମାରୋହରେ ବହୁ ସାଧୁସନ୍ଥ, ମହନ୍ତ ଓ ପ୍ରବଚକଙ୍କ ସମାଗମ ହୋଇଥିଲା। ଆଶ୍ରମର ପୂଜ୍ୟ ବାବା ପ୍ରେମାନନ୍ଦ ମହାରାଜ, ମହନ୍ତ ସନାତନ ଦାସ ମହାରାଜ, ବାବାଜୀ କାହ୍ନୁଚରଣ ଦାସ ଓ ଶ୍ରୀଧର ଦାସ ମହାରାଜ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ଓ ଆୟୋଜନରେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରବଚକ ଭାବେ ଶ୍ୟାମସୁନ୍ଦର ଦାସ, ବଂଶୀଧର ଦାସ ମହାରାଜ, କଟକର ଦୀନଦୟାଲ ବାବା, ରଘୁନାଥ ଦାସ ମହାରାଜ, ଭୁବନେଶ୍ୱରର ଭକ୍ତଚରଣ ଦାସ ଓ ଶ୍ୟାମସୁନ୍ଦର ଦାସ ପ୍ରମୁଖ ଯୋଗଦେଇ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ କରିଥିଲେ। ଏଥିସହ ଢେଙ୍କାନାଳ ଯାଉଁଳୀ ପୋଖରୀ ମଠର ମହନ୍ତ ପ୍ରଭୁପାଦ ଦାସ ମଧ୍ୟ ଏହି ମହୋତ୍ସବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଆଶ୍ରମର ପଦ୍ମଲୋଚନ ବାରିକ, ସଞ୍ଜୟ କୁମାର ସାହୁ, ସୁରେଶ କୁମାର ସାହୁ, ନିରାକାର ଦାସ, ମନ୍ଦରଧର ମହାରଣା, ଯୋଗେନ୍ଦ୍ର ସାହୁ ଓ ବିଷ୍ଣୁଚରଣ ଗୋଛି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ମଧ୍ୟାହ୍ନରେ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ସାମୂହିକ ଭାବେ ପ୍ରସାଦ ସେବନ କରିଥିଲେ। ଧାର୍ମିକ ଆସ୍ଥା, ଗୋସେବା ଓ ସାମାଜିକ ସହଭାଗିତାର ଏହି ମହୋତ୍ସବ ଆଶ୍ରମ ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।
6