ତିର୍ତ୍ତୋଲ, 18/11/2026, ଉତ୍କଳ voice news - utkalvoicenews.com( ରିପୋର୍ଟ : ତିର୍ତ୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁ ) :

ତାରିଖ : ୧୬/୧୧/୨୦୨୬ : ଜାତୀୟ ପ୍ରେସ୍ ଦିବସ ଅବସରରେ ତିର୍ତ୍ତୋଲ ବ୍ଲକ ପରିସରସ୍ଥିତ ଆଦିକବି ଶାରଳା ଦାସ ସମ୍ମିଳନୀ କକ୍ଷରେ ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଉତ୍ସାହ ଓ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତାର ନୀତି, ଆଦର୍ଶ, ନିରପେକ୍ଷତା, ସାମାଜିକ ଦାୟିତ୍ୱବୋଧ ଏବଂ ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା।
ତିର୍ତ୍ତୋଲ ସାମ୍ବାଦିକ ସଂଘର ସଭାପତି ପ୍ରଭାତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ଏସ୍ଡିପିଓ ଅଜୟ କୁମାର ଦାସ ଯୋଗଦେଇଥିଲେ। ସେ ନିଜ ବକ୍ତବ୍ୟରେ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଭୂମିକା, ଚରିତ୍ର, ସୁରକ୍ଷା ଓ ସାମ୍ବାଦିକତାର ମୂଳ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ବ୍ୟକ୍ତିଗତ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ରହି ସତ୍ୟ, ନିରପେକ୍ଷତା ଓ ନିଷ୍ଠାକୁ ଆଧାର କରି ସାମ୍ବାଦିକତା ବୃତ୍ତିର ମର୍ଯ୍ୟାଦା ବଜାୟ ରଖିବାକୁ ସେ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ତିର୍ତ୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ସୂର୍ଯ୍ୟରଞ୍ଜନ ଦାଶ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଏବଂ ଅତିରିକ୍ତ ମଣ୍ଡଳ ଅଧିକାରୀ ସତ୍ୟଜିତ ସ୍ୱାଇଁ ପ୍ରମୁଖ ଯୋଗଦେଇ ସାମ୍ବାଦିକତାର ଗୁରୁତ୍ୱ ଓ ସମାଜ ପ୍ରତି ଏହାର ଅବଦାନ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ତିର୍ତ୍ତୋଲ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ସୁଧାଂଶୁ ଶେଖର ପୃଷ୍ଟି ଓ ଟୁକନ ଚରଣ ସେଠୀ ଉପସ୍ଥିତ ଥିଲେ। ସଂଘର ସମ୍ପାଦକ ଚନ୍ଦ୍ରକାନ୍ତ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଅମର ଜ୍ୟୋତି ସାହୁ ସଭା ପରିଚାଳନା କରିଥିଲେ।
ଏହି ଅବସରରେ ସଂଘର ବରିଷ୍ଠ ସଦସ୍ୟ ନିଶାକର ଦାସ, ସତ୍ୟପ୍ରକାଶ ମହାନ୍ତି, ଜଗନ୍ନାଥ ପ୍ରସାଦ ସାହୁ, ସୌରଜିତ ପଢ଼ିଆରୀ, ଏମ୍.ଏସ୍. ରାଜନ କୁମାର, ଗୋପାଳକୃଷ୍ଣ ଦାସ, କୈଳାସ ଚନ୍ଦ୍ର ବେହେରା, ରଞ୍ଜିତ ମଲ୍ଲିକ, ସ୍ୱାଗତ ରଞ୍ଜନ ଦାସ, ସୁଭାଷିଷ ସ୍ୱାଇଁ, ସୁଶୀଲ ମହାପାତ୍ର, କବିତା ଦାଶ ଓ ରଞ୍ଜନ ମଲ୍ଲିକଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇଥିଲେ।
ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବରଂ ଏହା ସମାଜ ପ୍ରତି ଏକ ଗୁରୁଦାୟିତ୍ୱ। ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ମାଧ୍ୟମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ ବୋଲି ଏହି ଦିବସର ଆଲୋଚନାରେ ମତ ପ୍ରକାଶ ପାଇଥିଲା। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।