ତିର୍ତ୍ତୋଲ, 18/11/2026, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :

ଦୁଃଖ ଓ ଯନ୍ତ୍ରଣାରେ ବିତୁଛି ଜୀବନ। ମୁଖଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ୪୯ ବର୍ଷୀୟ ନାରାୟଣ ଦାସ। ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତର ମୁଥାପଦା ଗ୍ରାମର ବାସିନ୍ଦା ନାରାୟଣ ଦୀର୍ଘଦିନ ଧରି ଏହି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ। ରୋଗର ଚିକିତ୍ସା ପାଇଁ ତିନି ତିନି ଥର ଅସ୍ତ୍ରୋପଚାର କରାଇଥିବାବେଳେ ଏଥିରେ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଓ ସମ୍ବଳ ଶେଷ ହୋଇଯାଇଛି।
ପରିବାରର ଏକମାତ୍ର ଝିଅଙ୍କ ସ୍ୱଳ୍ପ ରୋଜଗାର ଉପରେ ନିର୍ଭର କରୁଥିବା ନାରାୟଣଙ୍କ ପାଇଁ ବର୍ତ୍ତମାନ ବ୍ୟୟବହୁଳ ଚିକିତ୍ସା ଜାରି ରଖିବା କଷ୍ଟକର ହୋଇପଡ଼ିଛି। ଏଭଳି ଦୁର୍ଦ୍ଦିନରେ ତାଙ୍କର ଅସହାୟତା ଓ ଦୁଃଖକୁ ହୃଦୟଙ୍ଗମ କରି ସହାୟତାର ହାତ ବଢ଼ାଇଛନ୍ତି ସମାଜସଂସ୍କାରକ ପଦ୍ମଶ୍ରୀ ବାବା ବଳିଆଙ୍କ ଶିଷ୍ୟ ତଥା ଜ୍ୟୋତିର୍ବିଦ୍ ଡ. ଅରୁଣ କୁମାର ପାଣି। ସେ ନାରାୟଣଙ୍କୁ କିଛି ଅର୍ଥରାଶି ପ୍ରଦାନ କରି ତାଙ୍କ ଚିକିତ୍ସାରେ ସହଯୋଗ କରିଛନ୍ତି।
ଏଥିସହ ନାରାୟଣଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଡ. ପାଣି ପ୍ରଶାସନ, ଜନପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସହୃଦୟ ବଦାନ୍ୟ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ ନିବେଦନ କରିଛନ୍ତି।
ବିପଦ ଓ ଦୁଃସମୟରେ ଜଣେ ଅସହାୟ ମଣିଷଙ୍କ ପାଖରେ ଛିଡ଼ା ହେବା ହିଁ ପ୍ରକୃତ ମାନବିକତାର ପରିଚୟ। ସମାଜର ସମସ୍ତ ବର୍ଗର ଲୋକଙ୍କ ସାମୂହିକ ସହଯୋଗ ଓ ସହାନୁଭୂତି ନାରାୟଣଙ୍କ ଚିକିତ୍ସା ପାଇଁ ନୂତନ ଆଶା ସଞ୍ଚାର କରିବ ବୋଲି ଡ. ଅରୁଣ କୁମାର ପାଣି ଆଶାବ୍ୟକ୍ତ କରିଛନ୍ତି।
ସହାୟତା ପାଇଁ ଫୋନ୍ ପେ ନମ୍ବର: ୭୮୯୪୯୬୧୫୦୭