କୁଜଙ୍ଗ , 18/11/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ତାରିଖ – ୧୭/୧୧/୨୦୨୬ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅଞ୍ଚଳରେ ଭୁଜାଲି ଦେଖାଇ ମୋବାଇଲ୍ ଫୋନ୍ ଛିନତାଇ କରିଥିବା ଅଭିଯୋଗରେ କୁଜଙ୍ଗ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ଭୁଜାଲି, ଗୋଟିଏ ବାଜାଜ୍ ପଲସର୍ ମୋଟରସାଇକେଲ ଏବଂ ଛିନତାଇ ହୋଇଥିବା ମୋଟରୋଲା G96 ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୬ ନଭେମ୍ବର ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୧ଟା ୫୦ ମିନିଟ୍ ସମୟରେ ଗଣ୍ଡାକିପୁର ଗ୍ରାମର ହରେକୃଷ୍ଣ ମଲ୍ଲିକଙ୍କ ପୁଅ ବଳବନ୍ତ ମଲ୍ଲିକ (୨୧) କୁଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ନଳବନ୍ଧା ରାସ୍ତାର ୧୬ ନମ୍ବର ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ତାଙ୍କ ନିକଟରୁ ଏକ ମୋଟରୋଲା ମୋବାଇଲ୍ ଫୋନ୍ ଛିନତାଇ କରି ନେଇଥିଲେ।
ଏହି ଅଭିଯୋଗ ଆଧାରରେ କୁଜଙ୍ଗ ଥାନା କେସ୍ ନମ୍ବର ୨୯୩, ତାରିଖ ୧୬/୧୧/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୦୯(୬) ଏବଂ ଆର୍ମସ୍ ଆକ୍ଟର ଧାରା ୨୫/୨୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଚିହ୍ନଟ କରିଥିଲା। ସେମାନେ ହେଲେ ଧନା ଓରଫ କାଖରୁ ଓରଫ ସତ୍ୟପ୍ରକାଶ ଗୁରୁ (୨୬) ଏବଂ ବାବୁଲ ଓରଫ ମାନସ କୁମାର ସାହୁ (୨୧)।
ପୁଲିସର ସୂଚନା ଅନୁଯାୟୀ, ପ୍ରଥମ ଅଭିଯୁକ୍ତ ସତ୍ୟପ୍ରକାଶ ଗୁରୁଙ୍କ ଘର କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ହୋଇଥିବାବେଳେ ସେ ବର୍ତ୍ତମାନ ପଙ୍କପାଳ ଗ୍ରାମରେ ରହୁଥିଲେ। ସେହିପରି ଦ୍ୱିତୀୟ ଅଭିଯୁକ୍ତ ମାନସ କୁମାର ସାହୁଙ୍କ ଘର କୋଠିଆସାହି ଗ୍ରାମରେ ହୋଇଥିବାବେଳେ ସେ ବର୍ତ୍ତମାନ ବଳରାମପୁର ଗ୍ରାମରେ ରହୁଥିଲେ।
ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଭୁଜାଲି, OD-21P-3005 ନମ୍ବର ବିଶିଷ୍ଟ ବାଜାଜ୍ ପଲସର୍ ମୋଟରସାଇକେଲ ଏବଂ ଛିନତାଇ ହୋଇଥିବା ମୋଟରୋଲା G96 ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ୧୭ ନଭେମ୍ବର ୨୦୨୬ ତାରିଖରେ ଗିରଫ କରାଯିବା ପରେ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।
ଘଟଣା ସମ୍ପର୍କରେ କୁଜଙ୍ଗ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।