ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ପୁଲିସର ବଡ଼ ସଫଳତା, ୯୪ ଗ୍ରାମ ସୁନା ଅଳଙ୍କାର ଜବତ

କୁଜଙ୍ଗ, 18/11/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ – ୧୬/୧୧/୨୦୨୬ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାର ପର୍ଦ୍ଦାଫାସ କରିବାରେ କୁଜଙ୍ଗ ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ଚୋରି କରୁଥିବା ୫ ଜଣ ଅଭିଯୁକ୍ତଙ୍କ ସମେତ ଚୋରି ସାମଗ୍ରୀ ଗ୍ରହଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୯୪ ଗ୍ରାମ ସୁନା ଅଳଙ୍କାର, ନଗଦ ୩୮ ହଜାର ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତରେ ସଫଳତା ମିଳିଛି।
Article Image
ପୁଲିସ ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୧ ଓ ୧୨ ତାରିଖ ମଧ୍ୟବର୍ତ୍ତୀ ରାତିରେ କୁଜଙ୍ଗ ଥାନା ଅନ୍ତର୍ଗତ ବଡ଼ବୁଡ଼ା ଗ୍ରାମର ଲିଲିମା ରାଉତଙ୍କ ଘରେ ଚୋରି ହୋଇଥିଲା। କେତେକ ଦୁର୍ବୃତ୍ତ ଘରର ପାହାଚ ଘରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଶୋଇବା ଘରେ ଥିବା ଆଲମିରା ଭାଙ୍ଗି ନଗଦ ୩୦ ହଜାର ଟଙ୍କା, ସୁନା କାନଫୁଲ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଚୋରି କରି ନେଇଥିଲେ। ଏ ସମ୍ପର୍କରେ ଲିଲିମା ରାଉତ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ଥାନା କେସ୍ ନମ୍ବର ୨୮୮/୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମାମଲାର ତଦନ୍ତ କରି ପୁଲିସ ୫ ଜଣ ଚୋରି ଅଭିଯୁକ୍ତଙ୍କ ସହ ଚୋରି ସାମଗ୍ରୀ ଗ୍ରହଣ କରିବା ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର କୁଣା ଦାସ (୩୫), ବିଦେଶ ଦାସ (୧୯), ଇନ୍ଦା ଦାସ (୩୦), ବର୍ଷା ଦାସ (୨୫) ଓ ବିଜୟ ଦାସ (୨୭)। ସେହିପରି ଚୋରି ସାମଗ୍ରୀ ଗ୍ରହଣ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର କାଶୀନାଥ ସାମଲ (୪୩)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଆଟଲାସ୍ ସାଇକେଲ, ଗୋଟିଏ ଭିଭୋ ମୋବାଇଲ ଫୋନ୍, ନଗଦ ୩୮ ହଜାର ଟଙ୍କା, ୭୮ଟି ସୁନା ମୁଦି, ୮ଟି ସୁନା ଚେନ୍, ଗୋଟିଏ ଯୋଡ଼ା ସୁନା କାନଫୁଲ ଓ ଗୋଟିଏ ଯୋଡ଼ା ରୂପା ପାଉଁଜି ଜବତ କରିଛି। ଏଥିସହ ଚୋରି କରିବାରେ ବ୍ୟବହୃତ ହୋଇଥିବା ଗୋଟିଏ ଲୁହା ରଡ୍ ମଧ୍ୟ ଜବତ କରାଯାଇଛି। ପୁଲିସ ପ୍ରେସ୍ ନୋଟ୍‌ରେ ଦର୍ଶାଯାଇଥିବା ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି କୁଜଙ୍ଗ ଥାନା ଅଞ୍ଚଳରେ ରୁଜୁ ହୋଇଥିବା ମୋଟ ୧୦ଟି ଚୋରି ମାମଲାରେ ଥିବା ଜଣାପଡ଼ିଛି। ଏହାବ୍ୟତୀତ ଏରସମା, ପାରାଦୀପ ଲକ୍, ରଘୁନାଥପୁର, ତିର୍ତ୍ତୋଲ ଓ ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ମାମଲାରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାର ତଦନ୍ତ କୁଜଙ୍ଗ ଥାନାର ଏସ୍‌ଆଇ ହରିଶଙ୍କର ମାଥିଆ କରୁଥିବା ପୁଲିସ ପ୍ରେସ୍ ନୋଟ୍‌ରେ ଉଲ୍ଲେଖ ରହିଛି। ଏକାଧିକ ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ଓ ଚୋରି ସାମଗ୍ରୀ ଜବତ ହେବା କୁଜଙ୍ଗ ପୁଲିସର ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଦେଇଛି।
6