କୁଜଙ୍ଗ , 18/11/2026, ଉତ୍କଳ voice news - utkalvoicenews.com( ପାରାଦୀପ , କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
ମାତ୍ର ୨୨ ବର୍ଷ ବୟସରେ ଗୁରୁତର ରୋଗ ସହ ସଂଘର୍ଷ କରୁଛନ୍ତି ବିଶ୍ୱଜିତ୍ ନାୟକ। ଦୁଇଟି କିଡନୀ ଓ ଲିଭରଜନିତ ସମସ୍ୟାରେ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚିକିତ୍ସାଧୀନ ଥିବା ବିଶ୍ୱଜିତ୍ଙ୍କ ଅପରେସନ୍ ଓ ପରବର୍ତ୍ତୀ ଚିକିତ୍ସା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଏତେ ବଡ଼ ଅର୍ଥରାଶି ଯୋଗାଡ଼ କରିବାରେ ଅସମର୍ଥ ପରିବାର ଏବେ ସମାଜର ସହୃଦୟ ବ୍ୟକ୍ତିଙ୍କ ସହାୟତା ଅପେକ୍ଷାରେ ରହିଛି।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ କୁଜଙ୍ଗ ପଞ୍ଚାୟତର ବଳରାମପୁର ଗ୍ରାମ ତଳସାହିର ବାସିନ୍ଦା ବିଶ୍ୱଜିତ୍ ହେଉଛନ୍ତି ଶିଶିର ନାୟକ ଓ ଝୁନିବାଳା ନାୟକଙ୍କ ଦୁଇ ପୁଅଙ୍କ ମଧ୍ୟରୁ ସାନ। ପୁଅର ଚିକିତ୍ସା ପାଇଁ ବାପା ଶିଶିର ନାୟକ ଦିନମଜୁରିଆ ଭାବେ କାମ କରି ସଞ୍ଚୟ କରିଥିବା ସମସ୍ତ ଅର୍ଥ ଖର୍ଚ୍ଚ କରିସାରିଛନ୍ତି। ଏପରିକି ଆୟୁଷ୍ମାନ ଭାରତ ଯୋଜନାରେ ମିଳିଥିବା ସ୍ୱାସ୍ଥ୍ୟ ବୀମା କାର୍ଡର ସୁବିଧା ମଧ୍ୟ ଶେଷ ହୋଇଯାଇଥିବା ପରିବାର ପକ୍ଷରୁ ଜଣାପଡ଼ିଛି।

ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିଶ୍ୱଜିତ୍ଙ୍କ ଅପରେସନ୍ ଓ ପରବର୍ତ୍ତୀ ଚିକିତ୍ସା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଆବଶ୍ୟକ। ଜଣେ ଦିନମଜୁରିଆଙ୍କ ପକ୍ଷରେ ଏତେ ବଡ଼ ଅର୍ଥରାଶି ଯୋଗାଡ଼ କରିବା ଅସମ୍ଭବପ୍ରାୟ ହୋଇପଡ଼ିଛି। ପୁଅର ଚିକିତ୍ସାକୁ ନେଇ ବାପା ଓ ମାଆ ଗଭୀର ଚିନ୍ତାରେ ରହିଛନ୍ତି।
ଏହି ଖବର ପାଇ ମା' ଶାରଳା ଆସୋସିଏସନ୍ର ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ସନ୍ଦୀପ ଦାସ ଓ ସ୍ୱପ୍ନେଶ ପଟ୍ଟନାୟକ ବିଶ୍ୱଜିତ୍ଙ୍କୁ ଭେଟିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ନିବେଦନ କରାଯାଇଛି।

ଏଭଳି ସଙ୍କଟଜନକ ପରିସ୍ଥିତିରେ ବିଶ୍ୱଜିତ୍ଙ୍କ ପରିବାର ସମାଜର ସହୃଦୟ ବ୍ୟକ୍ତିବିଶେଷ, ବଦାନ୍ୟ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀମାନଙ୍କୁ ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି।
ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ବିବରଣୀ:
ରୋଗୀଙ୍କ ନାମ: ବିଶ୍ୱଜିତ୍ ନାୟକ
ପିତାଙ୍କ ନାମ: ଶିଶିର ନାୟକ
ବ୍ୟାଙ୍କ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
ଶାଖା: ବଳରାମପୁର, କୁଜଙ୍ଗ
ଆକାଉଣ୍ଟ ନମ୍ବର: 7643000100069514
IFSC: PUNB0764300
ପରିବାର ପକ୍ଷରୁ ଉକ୍ତ ବ୍ୟାଙ୍କ ଖାତା କିମ୍ବା ପ୍ରଦତ୍ତ QR କୋଡ୍ ମାଧ୍ୟମରେ ସାମର୍ଥ୍ୟ ଅନୁଯାୟୀ ସହାୟତା ପଠାଇବାକୁ ନିବେଦନ କରାଯାଇଛି। ଆପଣଙ୍କର ଛୋଟିଆ ସହଯୋଗ ମଧ୍ୟ ବିଶ୍ୱଜିତ୍ଙ୍କ ଚିକିତ୍ସାରେ ବଡ଼ ସହାୟକ ହୋଇପାରିବ। ଏକ ଯୁବ ଜୀବନକୁ ନୂଆ ଆଶା ଦେବା ପାଇଁ ଆସନ୍ତୁ, ମାନବିକତାର ହାତ ବଢ଼ାଇବା।