କୁଜଙ୍ଗ / ଚଟୁଆ, 19/11/2026, ଉତ୍କଳ voice news - utkalvoicenews.com( କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ସମାଜରେ ଆର୍ଥିକ ସମାନତା, ସାମାଜିକ ନ୍ୟାୟ ଓ ସାଧାରଣ ଜନତାଙ୍କ କଲ୍ୟାଣ ପାଇଁ ଜନସଚେତନତା ଅତ୍ୟନ୍ତ ଜରୁରୀ। ଏହି ମର୍ମରେ ବିଭିନ୍ନ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ନିଜର ମତାମତ ରଖିବା ସହ ସଚେତନ ସମାଜ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଅଞ୍ଚଳର ପୂର୍ବତନ ସରପଞ୍ଚ ତଥା ବିଭିନ୍ନ ସାମାଜିକ ସଂଗଠନ ଓ ଅନୁଷ୍ଠାନ ସହ ଜଡ଼ିତ ସଞ୍ଜୟ କୁମାର ମହାନ୍ତି। ଦେଶର ଆର୍ଥିକ ବ୍ୟବସ୍ଥା, ସରକାରୀ ଋଣଭାର, ଜନପ୍ରତିନିଧିଙ୍କ ପେନସନ ବ୍ୟବସ୍ଥା ଏବଂ ଔଷଧର ମୂଲ୍ୟବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ସେ ନିଜର ଚିନ୍ତା ଓ ମତାମତ ପ୍ରକାଶ କରିଛନ୍ତି। ଗରିବ, ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଉପଯୁକ୍ତ ନ୍ୟାୟ, ସାମାଜିକ ସୁରକ୍ଷା ଓ ଆର୍ଥିକ ସହଯୋଗ ପ୍ରଦାନ କରିବା ଦିଗରେ ସରକାରୀ ସ୍ତରରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ବିଶେଷକରି ଜନପ୍ରତିନିଧିଙ୍କ ପେନସନ ବ୍ୟବସ୍ଥା ଓ ଦୀର୍ଘ ୩୦ରୁ ୩୫ ବର୍ଷ ଧରି ସରକାରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପେନସନ ସମ୍ପର୍କିତ ବିଷୟରେ ସମାନତା ଓ ନ୍ୟାୟସଙ୍ଗତ ଦୃଷ୍ଟିକୋଣ ଗ୍ରହଣ କରାଯିବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଥିସହ ଜନପ୍ରତିନିଧିଙ୍କ ପେନସନ ବ୍ୟବସ୍ଥାର ପୁନଃ ସମୀକ୍ଷା କରି ଆବଶ୍ୟକ ସଂସ୍କାର ଆଣିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଦେଶର ବୃଦ୍ଧି ପାଉଥିବା ସରକାରୀ ଋଣଭାର ଓ ରାଜକୋଷ ଉପରେ ପଡ଼ୁଥିବା ଆର୍ଥିକ ଚାପ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ସହ ଆଗାମୀ ପିଢ଼ିର ସ୍ୱାର୍ଥ ସୁରକ୍ଷା ପାଇଁ ସରକାରୀ ଖର୍ଚ୍ଚ, ଋଣ ପରିଚାଳନା ଓ ଟିକସ ଅର୍ଥର ବିନିଯୋଗ କ୍ଷେତ୍ରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଏଥିସହ ଔଷଧର ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉଥିବାରୁ ଏହାର ନିୟନ୍ତ୍ରଣ ଓ ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଶେଷରେ ସାଧାରଣ ଜନତା ନିଜର ଅଧିକାର, ଆର୍ଥିକ ସ୍ୱାର୍ଥ ଓ ଦେଶର ଭବିଷ୍ୟତ ସମ୍ପର୍କରେ ସଚେତନ ରହିବା ସହ ଜନସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସକ୍ରିୟ ଭାଗୀଦାର ହେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି। ଏକ ସୁସ୍ଥ, ସମାନତାଭିତ୍ତିକ ଓ ଜନକଲ୍ୟାଣକାରୀ ସମାଜ ଗଠନ ପାଇଁ ଜନସଚେତନତା ଓ ସାମୂହିକ ଉଦ୍ୟମ ହିଁ ମୁଖ୍ୟ ଆଧାର ବୋଲି ସେ ମତ ରଖିଛନ୍ତି।