ଏରସମା, 19/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ତିଲୋଚନପୁର ଗ୍ରାମର ମାହାଳ ପାକେ ଗହିର ନିକଟରେ ଜଣେ ଗରିବ ଚାଷୀଙ୍କ ପାନ ବରଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। କେହି ଜାଣିଶୁଣି କୀଟନାଶକ କିମ୍ବା ଘାସମରା ଔଷଧ ପ୍ରୟୋଗ କରିବା ଫଳରେ ପାନ ବରଜଟି ନଷ୍ଟ ହୋଇଥିବା ଚାଷୀ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଏକ ଛଅ ପ୍ରାଣୀ କୁଟୁମ୍ବର ମୁଖ୍ୟ ଜୀବିକା ଉଜୁଡ଼ି ଯାଇଥିବାବେଳେ ପରିବାର ଏବେ ଆର୍ଥିକ ସଙ୍କଟରେ ପଡ଼ିଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଉପଯୁକ୍ତ କ୍ଷତିପୂରଣ ପାଇଁ ଅଞ୍ଚଳର ପାନ ଚାଷୀମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ତିଲୋଚନପୁର ଗ୍ରାମର ପ୍ରଶାନ୍ତ କୁମାର ବିଶ୍ୱାଳଙ୍କୁ ଗତ ରବିବାର ସକାଳେ କହ୍ନେଇ ସେଠୀ ନାମକ ଜଣେ ବ୍ୟକ୍ତି ଫୋନ୍ ଯୋଗେ ତାଙ୍କ ପାନ ବରଜ ନଷ୍ଟ ହୋଇଯାଇଥିବା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ପ୍ରଶାନ୍ତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବରଜର ଅବସ୍ଥା ଦେଖିଥିଲେ। କୌଣସି କୀଟନାଶକ କିମ୍ବା ଘାସମରା ଔଷଧ ପ୍ରୟୋଗ ଯୋଗୁଁ ପାନ ଗଛଗୁଡ଼ିକ ନଷ୍ଟ ହୋଇଥିବା ସେ ସନ୍ଦେହ କରିଛନ୍ତି।
ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳର ଅନ୍ୟ ପାନ ଚାଷୀମାନେ ଏକତ୍ରିତ ହୋଇ ପୀଡ଼ିତ ଚାଷୀଙ୍କୁ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଗତ ୧୭ ତାରିଖରେ ସେ ଅଭୟଚାନ୍ଦପୁର ଥାନାରେ ଏକ ଲିଖିତ ଏତଲା ଦାଖଲ କରିଥିବା ଜଣାପଡ଼ିଛି।
ଅଭିଯୋଗ ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବେ ବୋଲି କୁହାଯାଇଥିଲେ ମଧ୍ୟ ଏଯାବତ୍ କୌଣସି ଅଧିକାରୀ ତଦନ୍ତ ପାଇଁ ପହଞ୍ଚି ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଚାଷୀମାନେ ନିଜର ଦୁଃଖ ଓ ସମସ୍ୟାକୁ ଗଣମାଧ୍ୟମ ଜରିଆରେ ପ୍ରଶାସନ ନିକଟରେ ଉପସ୍ଥାପନ କରିଛନ୍ତି।
ଚାଷୀଙ୍କ କହିବା ଅନୁଯାୟୀ, ପୀଡ଼ିତ ପରିବାରରେ ମୋଟ ୬ ଜଣ ସଦସ୍ୟ ରହିଛନ୍ତି। ପାନ ବରଜ ହିଁ ପରିବାରର ମୁଖ୍ୟ ଜୀବିକା ଓ ଆୟର ଏକମାତ୍ର ଉତ୍ସ ଥିଲା। ବରଜରୁ ପାନ ଉତ୍ପାଦନ ହୋଇଥିଲେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଆୟ ହୋଇଥାନ୍ତା ବୋଲି ଆକଳନ କରାଯାଇଥିଲା। ମାତ୍ର ପାନ ବରଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଫଳରେ ଆଗାମୀ ଦିନରେ ପରିବାରର ଗୁଜୁରାଣ ମେଣ୍ଟାଇବା ଚାଷୀଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି।
ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି। ଏଥିସହ ପୀଡ଼ିତ ଚାଷୀ ପରିବାରକୁ ସରକାରୀ ସହାୟତା ସହ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା ଏବଂ ତଦନ୍ତରେ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳର ପାନ ଚାଷୀମାନେ ଦାବି ଜଣାଇଛନ୍ତି।
ଏହି ଦାବି ଉଠାଇଥିବା ଚାଷୀମାନଙ୍କ ମଧ୍ୟରେ ପ୍ରଶାନ୍ତ ବେହେରା, ପଦ୍ମଚରଣ ମହାନ୍ତି, ଶ୍ରୀଧର ସେଠୀ, ରମେଶ ଜେନା, ସଞ୍ଜୟ ପ୍ରଧାନ, ମିହିର ଦାଶ, କ୍ଷୀରୋଦ ଜେନା, ଗିରିଧାରୀ ପ୍ରଧାନ ଓ ମିଟୁଆ ବାରିକ ପ୍ରମୁଖ ଉପସ୍ଥିତ ରହି ଚାଷୀ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି।