ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାଈଗୋରୁଙ୍କୁ ଫାଟୁଆ ରୋଗ ନେଇ ଗୁଜବ; ସ୍ଥିତି ଯାଞ୍ଚ କଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ

ବୁଗୁଡ଼ା, 20/11/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଅଞ୍ଚଳରେ ଗାଈଗୋରୁଙ୍କ ଠାରେ ଫାଟୁଆ ରୋଗ ବ୍ୟାପିବା ନେଇ ଗୁଜବ ଓ ଗୋପାଳକଙ୍କ ମଧ୍ୟରେ ଆଶଙ୍କା ଦେଖାଦେବା ପରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସା ଟିମ୍ ଓ ଭ୍ରାମ୍ୟମାଣ ଚିକିତ୍ସା ଦଳ ଅଞ୍ଚଳରେ ପହଞ୍ଚି ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ତେବେ ଅଞ୍ଚଳରେ ଫାଟୁଆ ରୋଗର କୌଣସି ସ୍ପଷ୍ଟ ଲକ୍ଷଣ ନଥିବା ଅଧିକାରୀ କହିଛନ୍ତି।ସୂଚନା ଅନୁଯାୟୀ, କରଚୁଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଚୁଲି, ପଥରବଣି ଓ ଜେଏକେ ଗ୍ରାମରେ କେତେକ ଗାଈଗୋରୁଙ୍କ ଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଦେବାରୁ ଗୋପାଳକମାନେ ଫାଟୁଆ ରୋଗର ଆଶଙ୍କା କରି ସ୍ଥାନୀୟ ପ୍ରାଣୀଧନ ନିରୀକ୍ଷକଙ୍କୁ ଜଣାଇଥିଲେ। ଏ ସମ୍ପର୍କିତ ଖବର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ବିଭାଗୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ।ଏହି ଟିମ୍‌ରେ ସିଆଇଏଲ୍ ବ୍ରହ୍ମପୁରର ଅଧିକାରୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ସାହୁ, ବୁଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭ୍ରାଂଶୁ ଶେଖର ରାଉତ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ସାଇସିବ ଶତପଥି, କରଚୁଲି ପ୍ରାଣୀଧନ ନିରୀକ୍ଷକ ସନ୍ତୋଷ କୁମାର ପାତ୍ରଙ୍କ ସମେତ ଡିଜିଜ୍ କଣ୍ଟ୍ରୋଲ୍ ବିଭାଗର ଅଧିକାରୀ ସାମିଲ ଥିଲେ। ଟିମ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ପଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଅସୁସ୍ଥ ଗାଈଗୋରୁଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଆବଶ୍ୟକ ସ୍ଥଳେ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଛି।ଅନୁଧ୍ୟାନ ପରେ ଅଞ୍ଚଳରେ ଫାଟୁଆ ରୋଗର କୌଣସି ସ୍ପଷ୍ଟ ଲକ୍ଷଣ ମିଳିନଥିବା ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ସାହୁ କହିଛନ୍ତି। ସାମ୍ପ୍ରତିକ ବାତ୍ୟାଜନିତ ବର୍ଷା ଯୋଗୁଁ ଅଞ୍ଚଳରେ କାଦୁଅ ଓ ପାଣି ଜମି ରହିଥିଲା। ଏହାଦ୍ୱାରା ଗାଈଗୋରୁଙ୍କ ଗୋଡ଼ରେ ସଂକ୍ରମଣ ହୋଇ ୬ଟି ଗାଈଙ୍କ ଠାରେ ସାମାନ୍ୟ ଘା’ ଦେଖାଦେଇଥିବା ସେ ସୂଚନା ଦେଇଛନ୍ତି। ଏହାକୁ ନେଇ ଫାଟୁଆ ରୋଗର ଗୁଜବ ସୃଷ୍ଟି ହୋଇଥିବା ସେ କହିଛନ୍ତି।ବର୍ତ୍ତମାନ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଥିବା ବେଳେ ଗୋପାଳକମାନେ ଆତଙ୍କିତ ନହୋଇ ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଶୁଙ୍କ ଠାରେ କୌଣସି ଅସ୍ୱାଭାବିକ ଲକ୍ଷଣ ଦେଖାଦେଲେ ନିଜେ ରୋଗ ନିରୂପଣ ନକରି ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଜଣାଇବାକୁ ମଧ୍ୟ କୁହାଯାଇଛି। ବିଭାଗୀୟ ଟିମ୍‌ର ତଦନ୍ତ ଓ ଚିକିତ୍ସା ପରେ ଗୋପାଳକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
Article Image
8