ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ାରେ ଡିଜିଟାଲ୍ ପେନସନ୍ ସେବାର ଶୁଭାରମ୍ଭ , ୩୮୦ ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର

ରାୟଗଡ, 20/11/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା. ୧୯.୧୧.୨୦୨୬: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ଏବଂ ରାୟଗଡ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ରାୟଗଡ ପୌରପରିଷଦ ସ୍ତରୀୟ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal–UPMP)ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରରେ ଏହି ଜନକଲ୍ୟାଣକାରୀ ଡିଜିଟାଲ୍ ପୋର୍ଟାଲର ଶୁଭାରମ୍ଭ ଅବସରରେ, ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ଦ୍ରୁତ କରିବା ଲକ୍ଷ୍ୟରେ ରାୟଗଡ ପୌରପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡ ପୌରପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ଶ୍ରୀ ପି. ମହେଶ ପଟ୍ଟନାୟକ, ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଶ୍ରମିତା ପାଢ଼ୀ, ଉପଜିଲ୍ଲାପାଳ ରାୟଗଡ ତଥା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ମୃଣାଲିକା ରାଠୋଢ଼ (ଭା.ପ୍ର.ସେ.) ଏବଂ ପୌରପରିଷଦର ପାରିଷଦବୃନ୍ଦ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀମତୀ ଏଲିଜାବେଥ୍ ଗୋରଡ଼ା ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO) ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ଅତିଥିମାନେ ଉପସ୍ଥିତ ହିତାଧିକାରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ନୂତନ UPMP ପୋର୍ଟାଲ (upmp.odisha.gov.in) ମାଧ୍ୟମରେ ମଧୁବାବୁ ପେନସନ୍ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ଥିବା ସମସ୍ତ ଭତ୍ତା ସେବା ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହାଦ୍ୱାରା ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନେ ଅନଲାଇନ୍ ଆବେଦନ, ଆଧାରଭିତ୍ତିକ e-KYC ଯାଞ୍ଚ ଏବଂ ନିଜ ପେନସନ୍‌ର ସ୍ଥିତି ସମ୍ପର୍କରେ ସହଜରେ ଜାଣିପାରିବେ। ଏହି ବ୍ୟବସ୍ଥା ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁବିଧାଜନକ ଓ ତ୍ୱରାନ୍ୱିତ କରିବା ସହ ହିତାଧିକାରୀଙ୍କ ଅପେକ୍ଷା ସମୟ ହ୍ରାସ କରିବ। ଏହି ଅବସରରେ ନୂତନ ଭତ୍ତା ଖାତା ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମରେ ନୂତନ ଭାବେ ଅନ୍ତର୍ଭୁକ୍ତ ୩୮୦ ଜଣ ହିତାଧିକାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ଭତ୍ତା ମଞ୍ଜୁରୀ ପତ୍ର (Sanction Order) ବଣ୍ଟନ କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ UPMP ପୋର୍ଟାଲର ବ୍ୟବହାର ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରିବା ସହ ପୌରପରିଷଦ କାର୍ଯ୍ୟାଳୟ ଓ ଜନସେବା କେନ୍ଦ୍ର (CSC) ମାଧ୍ୟମରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ।
Article Image
ଶ୍ରୀ ମିଲନ ଗଣନାୟକ ମଞ୍ଚ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାବେଳେ, ଶ୍ରୀ ତ୍ରୈଲୋକ୍ୟ ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା।
Article Image
8