ଢେଙ୍କାନାଳ, 20/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ତାରିଖ – ୧୯/୧୧/୨୦୨୬ : ଗୁରୁବାର ଦିନ ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଆଶୀର୍ବାଦ’ ପକ୍ଷରୁ ୱାଟରଏଡ୍ ଇଣ୍ଡିଆ ଓ ଆଇଆଇୱାଇଡି, ଭୁବନେଶ୍ୱରଙ୍କ ସହଯୋଗରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ଗ୍ରାମ ପଞ୍ଚାୟତରେ ବିଶ୍ୱ ଶୌଚାଳୟ ଦିବସ (World Toilet Day) ପାଳିତ ହୋଇଯାଇଛି। ଏହି ଅବସରରେ ଦଇପୁର ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚର ସଦସ୍ୟା, ସିଆରପି ଓ ଏମ୍ବିକେଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଆଶୀର୍ବାଦ ଅନୁଷ୍ଠାନର ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର ଖୋଲାରେ ମଳତ୍ୟାଗ ଭଳି ଅସ୍ୱାସ୍ଥ୍ୟକର ଅଭ୍ୟାସକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ନିଜେ, ନିଜ ପରିବାର, ସାହିପଡ଼ିଶା ଓ ବନ୍ଧୁବାନ୍ଧବଙ୍କୁ ଶୌଚାଳୟ ବ୍ୟବହାର ପାଇଁ ସଚେତନ କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହିତ ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନରେ ହାତ ଧୋଇବାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଏହି ଅବସରରେ ସମସ୍ତ ଉପସ୍ଥିତ ସଦସ୍ୟ ନିୟମିତ ଶୌଚାଳୟ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରିବାକୁ ଶପଥ ନେଇଥିଲେ। ଅନୁଷ୍ଠାନର ସଭାପତି ଶୁଭଶ୍ରୀ ପ୍ରଧାନଙ୍କ ସମେତ ବନଜା ମାନସିଂ, ବିନୋଦିନୀ ରାଉତ, କିରଣ ନାୟକ, ଖଗେଶ୍ୱର ରାଉତ, ପ୍ରକାଶ ଦାଶ, ଜି. ମନ୍ମଥ ରାଓ, ଅନାଦି ସାହୁ ଓ ଯୋଗେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଶୌଚାଳୟ ବ୍ୟବହାର ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନ କରିଥିଲେ। ଏଥିସହିତ ଗ୍ରାମରେ ଏକ ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆଶୀର୍ବାଦ ଅନୁଷ୍ଠାନର କୋଷାଧ୍ୟକ୍ଷ ସତୀଶ ପ୍ରଧାନ ସୁଚାରୁରୂପେ ପରିଚାଳନା କରିଥିଲେ।
