କଳାହାଣ୍ଡି, 21/11/2026, ଉତ୍କଳ voice news - utkalvoicenews.com( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ) :
ତା - ୨୧/୧୧/୨୦୨୬ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ନୁନପାଣି ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ଚାଲିଥିବା ତାଲାବନ୍ଦ ଆନ୍ଦୋଳନ ଶେଷରେ ପ୍ରତ୍ୟାହାର ହୋଇଛି। ଯାହା ଫଳରେ ଶନିବାର ଦିନ ଠାରୁ ବିଦ୍ୟାଳୟରେ ପାଠପଢ଼ା ସ୍ୱାଭାବିକ ହୋଇଛି। ସୂଚନା ଥାଉକି
ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ଦାବି ନେଇ ଗତ ୧୭ ତରିଖ ଦିନ ଠାରୁ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଥିଲେ। ଏହା ଫଳରେ ବିଦ୍ୟାଳୟରେ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଆନ୍ଦୋଳନ ସ୍ଥଳରେ ଧର୍ମଗଡ଼ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରଧାନଶିକ୍ଷକ ନିଯୁକ୍ତି ନେଇ ସେତେବେଳେ କୌଣସି ଫଳପ୍ରଦ ସମାଧାନହୋଇପାରିନଥିଲା।

ପରେ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଦିନ କ୍ଲଷ୍ଟର ଶିକ୍ଷା ସଂଯୋଜକ ବିକ୍ରମ ପ୍ରଧାନ ଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ଜଣେ ଶିକ୍ଷକ ଙ୍କ ଯୋଗଦାନ ପରେ ଗ୍ରାମବାସୀ ତାଲାବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଏହାପରେ ବିଦ୍ୟାଳୟରେ ପୁଣିଥରେ ଶିକ୍ଷାଦାନ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । ଶିକ୍ଷକ ନିଯୁକ୍ତି ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖଗପତି ନାଏକ, ସମିତି ସଭ୍ୟ କିଶୋର ନାଗ, କୈଳାଶ ନାଏକ, ହେମନ୍ତ ନାଗ, ଗୀତାଞ୍ଜଳି ନାଗ,ଅନୁସୟା ଖମାରୀ, ସୋମନାଥ ବାଗ, ଗୋପବନ୍ଧୁ ନାଗ,କୃଷ୍ଣ ଚନ୍ଦ୍ର ଦୁର୍ଗା, ବୈକୁଣ୍ଠ ଦୁର୍ଗା, ବିଷ୍ଣୁ ପ୍ରସାଦ ଖମାରୀ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।