ଢେଙ୍କାନାଳ, 21/11/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ପଞ୍ଚୁକ ଅବସରରେ ଆରମ୍ଭ ହୋଇଛି ପାଞ୍ଚଦିନିଆ ପାରମ୍ପରିକ ଶରତ ରାସ ଯାତ୍ରା। ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲରେ ଉତ୍ସବମୁଖର ହୋଇଉଠିଛି ସାରା ଗ୍ରାମ।
କାହିଁ କେଉଁ କାଳରୁ ଗେଙ୍ଗୁଟିଆ ଗ୍ରାମରେ ଏହି ଶରତ ରାସ ଯାତ୍ରା ପାଳିତ ହୋଇଆସୁଛି। ଗ୍ରାମର ସ୍ୱର୍ଗତ ଚୈତନ୍ୟ ସାହାଣୀ ପ୍ରଥମେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ଫଟୋ ପୂଜା କରି ଏହି ରାସ ଯାତ୍ରାର ଶୁଭାରମ୍ଭ କରିଥିଲେ। ସମୟକ୍ରମେ ଏହି ପରମ୍ପରା ଗ୍ରାମର ପ୍ରତ୍ୟେକ ସାହିକୁ ବ୍ୟାପି ଯାଇଥିଲା।
ଚଳିତ ବର୍ଷ ଗ୍ରାମର ଚଉଦଟି ପୂଜା ମଣ୍ଡପରେ ଶ୍ରୀରାଧାକୃଷ୍ଣ, ଶ୍ରୀରାମ, କାର୍ତ୍ତିକେଶ୍ୱର, ବ୍ରହ୍ମା-ବିଷ୍ଣୁ-ମହେଶ୍ୱର, ହରଗୌରୀ, ଲକ୍ଷ୍ମୀନାରାୟଣଙ୍କ ଅନନ୍ତ ଶୟନ, ଶିବ-ପାର୍ବତୀ ଓ ଗଣେଶ-କାର୍ତ୍ତିକଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ପ୍ରତ୍ୟେକ ପୂଜା ମଣ୍ଡପରେ ବ୍ରାହ୍ମଣଙ୍କ ଦ୍ୱାରା ଦୈନିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି।
ସନ୍ଧ୍ୟା ହେଲେ ରଙ୍ଗବେରଙ୍ଗ ଆଲୋକମାଳା ଓ ଆକର୍ଷଣୀୟ ସାଜସଜ୍ଜାରେ ଝଲସି ଉଠୁଛି ସମଗ୍ର ଗ୍ରାମ। ମୀନାବଜାର, ଫାଷ୍ଟଫୁଡ୍ ଷ୍ଟଲ୍ ଓ ମିକି ମାଉସ୍ ଦୋଳିର ମଜା ଉଠାଉଛନ୍ତି ଛୋଟରୁ ବଡ଼ ସମସ୍ତେ।
ଏହି ଅବସରରେ ଘରେ ଘରେ ବନ୍ଧୁବାନ୍ଧବଙ୍କ ମିଳନ ସାଙ୍ଗକୁ ଆଖପାଖ ଗ୍ରାମରୁ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ଜମୁଛି। ଗ୍ରାମର ଅବାଳବୃଦ୍ଧବନିତା ସମସ୍ତେ ଏହି ଉତ୍ସବର ଆନନ୍ଦ ଉଠାଉଥିବା ବେଳେ ଭକ୍ତି, ପରମ୍ପରା ଓ ଭାଇଚାରାର ନିଆରା ଉଦାହରଣ ପାଲଟିଛି ଗେଙ୍ଗୁଟିଆ ଗ୍ରାମର ଏହି ଶରତ ରାସ ଯାତ୍ରା।