ବୁଗୁଡ଼ା, 22/11/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ପ୍ରସିଦ୍ଧ ପୁରାତନ ଐତିହ୍ୟସମ୍ପନ୍ନ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଏକ ସୁନ୍ଦର ସଂଗ୍ରହାଳୟର ଶୁଭ ଉଦ୍ଘାଟନ ହୋଇଯାଇଛି।ଏହାକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସଂଗ୍ରହାଳୟକୁ ଉଦ୍ଘାଟନ କରିଥିଲେ ।ଏହି ସଂଗ୍ରହାଳୟରେ ବୁଗୁଡ଼ା ଅଞ୍ଚଳର ପ୍ରାଚୀନ ଐତିହ୍ୟ ଓ କଳାସଂସ୍କୃତିର ପରିଚୟ ବହନ କରୁଥିବା ବହୁ ଦୁର୍ଲଭ ସାମଗ୍ରୀ ସ୍ଥାନ ପାଇଛି। ପୁରାତନ କାଷ୍ଠକଳା, ଦୁର୍ଲଭ ମୂର୍ତ୍ତି, ପଥର ଖୋଦେଇ କଳା ସହିତ ଏହି ପ୍ରାଚୀନ ରାଜାଙ୍କ ଅମଳରୁ ସଂରକ୍ଷିତ ହୋଇ ରହିଥିବା ବିଭିନ୍ନ ପ୍ରାଚୀନ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଏହି ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ସାମଗ୍ରୀଗୁଡ଼ିକ କେବଳ ପୁରାତନ କଳାର ନିଦର୍ଶନ ନୁହେଁ, ବରଂ ଆମ ପୂର୍ବପୁରୁଷଙ୍କ ଜୀବନଶୈଳୀ, ଶାସନ ବ୍ୟବସ୍ଥା ଓ ଯୁଦ୍ଧକଳାର ଇତିହାସକୁ ମଧ୍ୟ ପ୍ରତିଫଳିତ କରୁଛି।ବିଶେଷକରି, ବୁଗୁଡ଼ାର ଐତିହାସିକ ବିରଞ୍ଚି ନାରାୟଣ ମନ୍ଦିର ଏହି ଅଞ୍ଚଳର ପ୍ରାଚୀନ ସ୍ଥାପତ୍ୟ, ଧାର୍ମିକ ପରମ୍ପରା ଓ କଳାକୃତିର ଏକ ଅନନ୍ୟ ପରିଚୟ। ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳର ଅମୂଲ୍ୟ ଐତିହ୍ୟ ଓ ପୁରାତନ କଳାକୃତିଗୁଡ଼ିକ ସଂରକ୍ଷିତ ହେବା ସହ ଆଗାମୀ ପିଢ଼ି ନିଜ ମାଟିର ଇତିହାସ, ପରମ୍ପରା ଓ ସାଂସ୍କୃତିକ ଗୌରବ ସମ୍ପର୍କରେ ଅବଗତ ହୋଇପାରିବେ। ଏଥିସହ ବିରଞ୍ଚି ନାରାୟଣ ମନ୍ଦିରର ଐତିହାସିକ ମହତ୍ତ୍ୱକୁ ଆହୁରି ବ୍ୟାପକ ପରିଚୟ ମିଳିବା ସହ ପର୍ଯ୍ୟଟକ ଓ ଐତିହାସିକ ଗବେଷକଙ୍କ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।

