ବୁଗୁଡ଼ା, 22/11/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ବାତ୍ୟା ଆକ୍ୱାନର ପ୍ରଭାବରେ ଚାଷୀଙ୍କ ବର୍ଷକର ପରିଶ୍ରମ ଏବେ ପାଣିରେ ବୁଡ଼ିବାକୁ ବସିଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡ଼ି ଓ ବି. ବ୍ରହ୍ମପୁରର କଦମ୍ବ ମଠ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ଜଳମଗ୍ନ ହୋଇପଡ଼ିଛି। ଅମଳ ସମୟରେ ପାଚିଲା ଧାନ ଜମିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଫଳରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।ବାତ୍ୟା ଅର୍ଣ୍ଣବ, ମୁରାସୁ ପରେ ଆକ୍ୱାନର ପ୍ରଭାବରେ ଲଗାତାର ବର୍ଷା ସାଙ୍ଗକୁ ବାଘୁଆ ଜଳଭଣ୍ଡାରରୁ ଆସୁଥିବା ଜଳ ଏବଂ ପାହାଡ଼ିଆ ଅଞ୍ଚଳରୁ ମାଡ଼ି ଆସୁଥିବା ଜଳସ୍ରୋତ ଧାନ ଜମିରେ ପ୍ରବେଶ କରିଛି। ଫଳରେ ପାଚିଲା ଧାନ ପାଣିରେ ବୁଡ଼ି ରହିବା ସହ କେତେକ ସ୍ଥାନରେ ତଳେ ପଡ଼ି ରହିଛି। ଏହାଦ୍ୱାରା ଧାନ ଅମଳ ନେଇ ଚାଷୀଙ୍କ ମନରେ ଆଶଙ୍କା ଦେଖାଦେଇଛି।ଏହି ବିପର୍ଯ୍ୟୟରେ ଭାଗଚାଷୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଧାରକରଜ କରି ଅନ୍ୟର ଜମିରେ ଚାଷ କରିଥିବା ଭାଗଚାଷୀଙ୍କ ପାଇଁ ଫସଲ ନଷ୍ଟ ହେବା ଦୁଇଗୁଣ ଚିନ୍ତାର କାରଣ ପାଲଟିଛି। ଚାଷୀଙ୍କ ବର୍ଷକର ଆହାର ଓ ଜୀବିକାର ଆଧାର ଧାନ ଫସଲ ନଷ୍ଟ ହେବା ଆଶଙ୍କା ମଧ୍ୟରେ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ ଭାଗଚାଷୀଙ୍କୁ ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।