ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁଅ ବିଦେଶରେ,ବାପାଙ୍କ ମୁଖାଗ୍ନି ଦେଇ ପୁତ୍ରଧର୍ମ ନିର୍ବାହ କଲେ ଝିଅ

ରାୟଗଡ଼ା, 22/11/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ପୁଅ ହିଁ ମୁଖାଗ୍ନି ଦେବ, ପୁଅ ହିଁ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବ। ସମାଜରେ ପ୍ରଚଳିତ ଏହି ପାରମ୍ପରିକ ଧାରଣାକୁ ପଛରେ ପକାଇ ବାପାଙ୍କ ଅନ୍ତିମ ଯାତ୍ରାରେ ଆଗେଇ ଆସିଲେ ଝିଅ। ଜନ୍ମଦାତାଙ୍କ ଚିତାରେ ମୁଖାଗ୍ନି ଦେଇ ପୁତ୍ରଧର୍ମ ନିର୍ବାହ କରିବା ସହ ବାପାଙ୍କ ପ୍ରତି ନିଜର କର୍ତ୍ତବ୍ୟ ଓ ଋଣ ପରିଶୋଧ କରିଛନ୍ତି ବଡ଼ ଝିଅ ଆଶା। ରାୟଗଡ଼ା ସହରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ରାୟଗଡ଼ା ସହରର ପୁରୁଣା ଗେଟ୍ ଛକ ନିକଟରେ ଏକ ଟିଫିନ୍ ହୋଟେଲ୍ ପରିଚାଳନା କରୁଥିବା ମୈଦା ଉମା (୭୧) ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ଶେଷରେ ବୁଧବାର ରାତିରେ  ନ୍ୟୁ କଲୋନୀ ସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପରିବାରରେ ପତ୍ନୀ, ଏକମାତ୍ର ପୁଅ କିରଣ ଏବଂ ଦୁଇ ଝିଅ ଆଶା ଓ ମୟୂରୀ ଅଛନ୍ତି। ତେବେ ଉମାଙ୍କ ମୃତ୍ୟୁ ସମୟରେ ତାଙ୍କ ଏକମାତ୍ର ପୁଅ କିରଣ ବ୍ୟବସାୟିକ କାର୍ଯ୍ୟରେ ଅଷ୍ଟ୍ରେଲିଆରେ ଥିବାରୁ ତୁରନ୍ତ ରାୟଗଡ଼ା ଆସିବା ସମ୍ଭବ ହୋଇନଥିଲା। ଏଭଳି ସମୟରେ ଶୋକାକୁଳ ପରିବେଶ ମଧ୍ୟରେ ବଡ଼ ଝିଅ ଆଶା ନିଜକୁ ସମ୍ଭାଳି ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଆଗେଇ ଆସିଥିଲେ। ସେ ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ। ବାପାଙ୍କ ମୃତ୍ୟୁରେ ଜଣେ ଝିଅର ମନରେ ଯେଉଁ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୁଏ, ତାହାକୁ ଶବ୍ଦରେ ବ୍ୟକ୍ତ କରିବା ସହଜ ନୁହେଁ। ହେଲେ ଦୁଃଖର ସେହି ମୁହୂର୍ତ୍ତରେ ଆଶା ନିଜ ସାହସ ଓ ଦାୟିତ୍ୱବୋଧର ପରିଚୟ ଦେଇ ବାପାଙ୍କ ଅନ୍ତିମ ଯାତ୍ରାର ସାରଥୀ ସାଜିଥିଲେ। ଏହି ଘଟଣା ପୁଣିଥରେ ପ୍ରମାଣିତ କରିଛି ଯେ, ବାପାମାଆଙ୍କ ପ୍ରତି ଭଲପାଇବା, କର୍ତ୍ତବ୍ୟ ଓ ଦାୟିତ୍ୱ କେବଳ ପୁଅଙ୍କ ମଧ୍ୟରେ ସୀମିତ ନୁହେଁ। ଝିଅ ମଧ୍ୟ ପୁଅଠାରୁ କୌଣସି ଗୁଣରେ କମ୍ ନୁହେଁ। ଆଶାଙ୍କ ଏହି ପଦକ୍ଷେପ ରାୟଗଡ଼ା ସହରରେ ଏକ ଭିନ୍ନ ବାର୍ତ୍ତା ଦେବା ସହ ମାନବୀୟ ସମ୍ପର୍କର ଗଭୀରତାକୁ ପୁଣିଥରେ ଉଜାଗର କରିଛି।
Article Image
Article Image
8