ଏରସମା, 06/04/2025, ଉତ୍କଳ voice news - utkalvoicenews.com

ପବିତ୍ର ରାମନବମୀ ଉପଲକ୍ଷେ, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପୋଖରିଆପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୂର୍ ଗ୍ରାମର କର୍କଟ ରୋଗରେ ପୀଡ଼ିତ ରତ୍ନାକର ଦାସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ରତ୍ନାକର କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଚିକିସ୍ଥିତ ହେଉଛନ୍ତି | ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଏବଂ ପର ଘରେ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି | ଘର କହିଲେ ଭଙ୍ଗା ଚାଳ ଛପର ଘର | ବର୍ତ୍ତମାନ ଅର୍ଥାଭାବରୁ ଏହି ଦୁଃଖୀ ପରିବାର ଅତ୍ୟନ୍ତ ଦୟନୀୟ ଜୀବନଯାପନ କରୁଛନ୍ତି | ଏବେ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ନନ୍ଦନନ୍ଦନ ଜୟସିଂ, ସୁଧାକର ମହାନ୍ତି ଏବଂ ରାଜେଶ ତରାଇ ପ୍ରମୁଖ ରତ୍ନାକରଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର(୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଏବଂ ଏକ ମାସର ରାସନ ସାମଗ୍ରୀ ଯୋଗାଇ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ରତ୍ନାକର ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |