ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଷଷ୍ଠ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ମେଳରେ ମା’ଙ୍କ ଘଟ ପରିକ୍ରମା , ମୀନାବଜାର ଉଦଘାଟିତ

ବୁଗୁଡ଼ା, 30/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ମହାଆଡମ୍ବରରେ ଆୟୋଜିତ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଘଟ ସାଜସଜ୍ଜାକାରୀ ବସନ୍ତ ବେହେରାଙ୍କ ଦ୍ବାରା ଆକର୍ଷଣୀୟ ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସହରର ବିଭିନ୍ନ ସାହିରେ ମେଢ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୀନାବଜାର ଉଦଘାଟିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ଝରଣା ଡାକୁଆ, ଝିଲ୍ଲିରାଣୀ ପାତ୍ର, ନମିତା ସ୍ବାଇଁ, ସାଇଶ୍ବେରୀ ପାତ୍ର ଓ ଜୟନ୍ତୀ ବେହେରା ପ୍ରମୁଖ ମା’ଙ୍କ ଘଟ ଧାରଣ କରି ବଳଦେବ ମନ୍ଦିର , ପୋଲସରା ରୋଡ, ମଦନ ମୋହନ ଛକ, ବୁଦ୍ଧଖୋଲ ରୋଡ ଛକ , ହରିଶରଣପୁର, କୃଷ୍ଣଶରଣପୁର, ବୀରଧନଞ୍ଜୟପୁର, ଜଗତ ପାଟଣା ଆଦି ପରିକ୍ରମା କରି ବଳଦେବ ମନ୍ଦିର ପଥ ଦେଇ ଆସ୍ଥାନକୁ ଫେରିଥିଲେ । ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ବଳନ ସହକାରେ ଘଟଧାରିଣୀଙ୍କ ପାଦ ଧୌତ ପୂର୍ବକ ପଞ୍ଚ ଠାକୁରାଣୀଙ୍କ ସ୍ବାଗତ କରିଥିଲେ । ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା ।
1